ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପାଟରା ସାହିରେ ଜଣେ ସୁନା ବ୍ୟବସାୟୀଙ୍କ ସୁନା ଓ ଟଙ୍କା ଚୋରୀ ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଚୋରୀ ସୁନା ଓ ଟଙ୍କା ଉଦ୍ଧାର କରିଛି । ଗିରଫ ଜଣକ ହେଲେ ରାଜସ୍ଥାନର ରୋହିତ ଥାନା ଅନ୍ତର୍ଗତ ଶ୍ରୱନ କୁମାର । ଗିରଫ ଶ୍ରୱନଠାରୁ ଚୋରୀ କରିଥିବା ୮ଲକ୍ଷ ୫୦ ହଜାର ଟଙ୍କା ଓ ୫ଶହ ୪୧ ଗ୍ରାମ ସୁନା ଅଳଙ୍କାର ଉଦ୍ଧାର କରାଯାଇଛି । ଡିସେମ୍ୱର ମାସ ୮ ତାରିଖରେ ରାଜସ୍ଥାନ ଅଞ୍ଚଳର ସୁନା ବ୍ୟବସାୟୀ ଜିତେନ୍ଦ୍ର ସିଂହଙ୍କ ବ୍ରହ୍ମପୁର ପାଟରା ସାହିସ୍ଥିତ ଭଡ଼ା ଘରୁ ଏକ ବକ୍ସରେ ଥିବା ସୁନା ଅଳଙ୍କାର ଓ ନଗତ ଟଙ୍କା ଚୋରୀ ହୋଇଥିବା ନେଇ ବଡ ବଜାର ଥାନାରେ ଏତଲା ଦେଇଥିଲେ । ବକ୍ସ ଭିତରେ ଥିବା ୧୦ ଲକ୍ଷ ଟଙ୍କା ଓ ଏକ କେଜି ସୁନା ଚୋରୀ ହୋଇଥିବା ଅଭିଯୋଗ ଆଣିଥିଲେ । ସୁନା ବ୍ୟବସାୟୀ ଜିତେନ୍ଦ୍ର ବ୍ରହ୍ମପୁର ସହର ସମେତ ଆସିକା ଓ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସୁନା ଦୋକାନକୁ ସୁନା ଯୋଗାଇ ଦେଇଆସୁଥିଲେ । ତେବେ ଏହାକୁ ଭିତ୍ତି କରି ପୋଲିସ ଆସିକା ପୋଲିସ ଓ ବଡ଼ ବଜାର ଥାନା ପୋଲିସ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ଏନେଇ ଏକ ସ୍ୱତନ୍ତ୍ର ଟିମ ରାଜସ୍ଥାନ ମଧ୍ୟ ଗସ୍ତ କରିଥିଲେ । ଶେଷରେ ପୋଲିସକୁ ଏହି ବଡ ଧରଣର ଚୋରୀ ଘଟଣାରେ ସୁରାକ ମିଳିବା ସହ ଜିତେନ୍ଦ୍ରଙ୍କ ନିକଟରେ ଚାକର ଭାବେ କାର୍ୟ୍ୟରତ ଶ୍ରୱନ ଚୋରୀ କରିଥିବା ଜାଣିବାକୁ ପାଇଥିଲା । ପରେ ଆସିକା ଅଞ୍ଚଳରୁ ଶ୍ରୱନକୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ଏହି ଘଟଣାରେ ଆଉ କେହି ସଂପୃକ୍ତି ଅଛି ଏବଂ ଚୋରୀ କରିଥିବା ସୁନା କାହାକୁ ବିକ୍ରୀ କରାଯାଇଛି ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି । ପୋଲିସ ଆଜି ଶ୍ରୱନକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକା ତଦନ୍ତ ପାଇଁ ଆବଶ୍ୟକସ୍ଥଳରେ ରିମାଣ୍ଡରେ ଅଣାଯିବ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା