ଛତ୍ରପୁରରେ ଅନ୍ତର୍ଜାତୀୟ ନୃତ୍ୟ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତ ସରକାରଙ୍କ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ “ଜାତୀୟ ଉପସ୍ଥିତି ” ଛତ୍ରପୁରର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱରର ତ୍ରିଧାରା ପକ୍ଷରୁ ଛତ୍ରପୁରର କଳା ବିକାଶ କେନ୍ଦ୍ରର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା, ପଶ୍ଚିମବଙ୍ଗ ଓ କଣ୍ଣ।ଟକ ସମେତ ମାଲେସିଆ ଓ ଜାପାନର କଳାକାରମାନେ ଏହି କାର୍ଯ୍ୟକ୍ରମରେ ନିଜ କଳା ପ୍ରଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟରେ ପ୍ରତିଷ୍ଠିତ ୧୬ ଜଣ ଶିଳ୍ପୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଅପର ବସଷ୍ଟାଣ୍ଡରୁ କଳାକାରମାନଙ୍କ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ସଂସ୍କୃତି ଭବନରେ ପହଞ୍ଚିଥିଲା । ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଘଣ୍ଟ, କୋଠିଶାଳ, ଭାରତ ଲୀଳା ଓ ପ୍ରହ୍ଲାଦ ନାଟକ ଭଳି ଲୋକ କଳା ପ୍ରଦର୍ଶିତ କରାଯାଇଥିଲା । ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ମାଲେସିଆର ସୂତ୍ର ଫାଉଣ୍ଡେସନ ଅଧ୍ୟକ୍ଷ ପଦ୍ମଶ୍ରୀ ରାମଲି ଇବ୍ରାହିମ୍ ଓ ଦଳ ଏବଂ ଜାପାନୀ ନୄତ୍ୟାଂଗନା ଚିସାତୋ ମିଉରା ଓ ରିଏ କୁମାକୁରା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ତ୍ରିଧାରା ଅନୁଷ୍ଠାନର ନୄତ୍ୟ ଦଳ ଓଡିଶୀ ସମେତ ଡାଲଖାଇ ଓ ନଚନିଆ ଭଳି ଲୋକ ନୄତ୍ୟ ପ୍ରଦର୍ଶନ କରିଥିଲେ । ତ୍ରିଧାରାର ନିର୍ଦ୍ଦେଶକ ତଥା ଛତ୍ରପୁରର ବରପୁତ୍ର ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଜୟ ଦାସ ଓ ଅତିରିକ୍ତ ଏସପି ଅମରେଶ ପଣ୍ଡା ଅତିଥି ଭାବେ ଯୋଗ ଦେଇ ନୄତ୍ୟ ଶିଳ୍ପୀମାନଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକମରେ ଓଡିଶା ସଂଗୀତ ନାଟକ ଏକାଡ଼େମୀର ପୂର୍ବତନ ସଂପାଦକ ମନ୍ମଥ ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୁରୁ ସ୍ୱାଇଁ, ବରିଷ୍ଠ ଜାପାନୀ ଶିଳ୍ପୀ କୁମା ବେ, କଳା ବିକାଶ କେନ୍ଦ୍ରର ସଭାପତି ରାମଚନ୍ଦ୍ର ପଟ୍ଟନାୟକ, ଉପଦେଷ୍ଟା ଅଶୋକ ଚୌଧୁରୀ ମଂଚାସୀନ ହୋଇଥିଲେ । ଛତ୍ରପୁର କଳା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀମାନେ ଗୁରୁ ଗଣେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅରୁଣ ଶତପଥୀ, ରମେଶ ପଟ୍ଟନାୟକ, ଉମେଶ ବେହେରା, ଗଣେଶ ପଟନାୟକ, ବଟକୄଷୄ ତ୍ରିପାଠୀ ଓ ଶ୍ରୀକାନ୍ତ ମହାନ୍ତି ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା