


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଆନୁକୂଲ୍ୟରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରାଲି ବାହାରି ସ୍ଥାନୀୟ ସଂସ୍କୃତି ଭବନଠାରେ ପହଞ୍ଚିଥିଲା । ଏହାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲାପାଳ ଶ୍ରୀ କୁଲାଙ୍ଗେ ଯୋଗଦେଇ କହିଥିଲେ ଯେ, ନିଶାଠାରୁ ଦୂରେଇ ରହିଲେ ଶରୀର ସୁସ୍ଥ ରହିବ । ଏହି ଅବସରରେ ନିଶା ଛାଡିଥିବା ୧୦ ଜଣଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରାଯାଇଛି । ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଡା. ବିଭୁ କଲ୍ୟାଣ ସାହୁ, ଗଂଜାମ ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ର,ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ କେ. ଆନନ୍ଦ ରାଓ, ବ୍ରହ୍ମାକୁମାରୀ ଛତ୍ରପୁର କେନ୍ଦ୍ରର ବିଜୟଲକ୍ଷ୍ମୀ ପ୍ରମୁଖ ଯୋଗଦେଇ ନିଶା ଛାଡ଼ି ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ପରିଚାଳନା କରିଥିଲେ । ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡାଙ୍କ ସମସ୍ତ ବିଭାଗୀୟ ଅଧିକାରୀମାନେ ସହଯୋଗ କରିଥିଲେ । ଏଥିରେ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





