


ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବୃହତ କୃଷି ପ୍ରଦର୍ଶନୀ ଅନସ୍ଲୋ ମିନି ଷ୍ଟାଡ଼ିୟମଠାରେ ଉଦଘାଟିତ ହୋଇଯାଇଛି । ଚାଷକୁ ଅଧିକ ଯାନ୍ତ୍ରିକ ମାଧ୍ୟମ କରିବା ପାଇଁ ଏବଂ ଉତ୍ପାଦନହାରକୁ ବଢାଇବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀ ଆୟୋଜିନ କରାଯାଇଛି । ଏହା ଆଜି ଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରଦର୍ଶନୀ ହେବ । କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପଶୁସମ୍ପଦ ଓ ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଏହି ପ୍ରଦର୍ଶନୀ କରାଯାଇଛି । ସରକାରୀ ଓ ବେସରକାରୀ ଭାବରେ ୧୨୦ଟି ଷ୍ଟଲ ଖୋଲାଯାଇଛି । ବିଭିନ୍ନ କମ୍ପାନୀର ଟ୍ରାକ୍ଟର, ପାୱାର ଟିଲର, ପାଣିପମ୍ପ, ବୁନ୍ଦା ଜଳସେଚନ ବ୍ୟବସ୍ଥା, ବିହନ ବୁଣା ଯନ୍ତ୍ର, କୀଟନାଶକ ଔଷଧ ସ୍ପ୍ରେୟାର, ଗୋପାଳନ, ଛେଳି ପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ପାଳନ ଏବଂ ଫୁଲ ଚାଷ ପ୍ରଭୃତି ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଏସବୁ କିପରି ସରକାରୀ ରିହାତି ଦରରେ ଚାଷୀମାନଙ୍କୁ ପ୍ରଦାନ କରାଯିବ ତାହା କୃଷକମାନଙ୍କୁ ଅବଗତ କରାଯାଉଛି । ଗଞ୍ଜାମର ଜଳବାୟୁ ଫୁଲଚାଷ ପ୍ରତି ବେଶ ଅନୁକୂଳ ଥିବାରୁ ଫୁଲଚାଷକୁ ଅଧିକ ବ୍ୟାପକ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି । ଗଞ୍ଜାମରୁ ରଜନୀଗନ୍ଧା ଓ ଅର୍କିଡ଼ ଫୁଲ ସୁଦୂର କଳିକତାକୁ ରପ୍ତାନି କରାଯାଉଛି । ଋଷିକୂଲ୍ୟା ନଦୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁର ଆଦ୍ରତା ଅଧିକ ରହୁଥିବାରୁ ଏଠାରେ ଫୁଲ ଉତ୍ପାଦନ ମାତ୍ରାଧିକ ଭାବରେ ହୋଇପାରିବ । ଏଥିପାଇଁ ଅଧିକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ କହିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉପଯୁକ୍ତ ସହଯୋଗ ପ୍ରଦାନ କରିବାକୁ କୁହାଯାଇଛି । ଜନ ସାଧାରଣ ଆଗ୍ରହ ଦେଇ ପ୍ରଦର୍ଶନୀକୁ ଦୁଇଦିନ ପରିବର୍ତ୍ତେ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉଦଘାଟନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ବିଧାୟକ ଡ଼. ପ୍ରିୟାଂଶୁ ପ୍ରଧାନ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରିୟ ରଞ୍ଜନ ପୃଷ୍ଟି, କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







