

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଆ ଭାଷା, ସାହିତ୍ୟ ପ୍ରତିଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶତ ବର୍ଷ ପୂର୍ତ୍ତି ତଥା “ବିଶ୍ୱ ନାଟ୍ୟ ଦିବସ” ଅବସରରେ ବ୍ରହ୍ମପୁର ସହରର ଅଗ୍ରଣୀ ନାଟ୍ୟ ସଙ୍ଗଠନ ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ପ୍ରସ୍ତୁତ ନାଟକ “ଗାନ୍ଧୀଙ୍କ ଓଡିଶା” ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ନାଟକ ପରିବେଷଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆରଡ଼ିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲ୍ଲା ଗ୍ରନ୍ଥାଗାରିକ ଅମୀୟ ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡିଶାରେ ଶାନ୍ତି, ମୈତ୍ରୀର ବାର୍ତ୍ତା ପ୍ରଚାର ନେଇ ୧୯୨୧ ମାର୍ଚ୍ଚ ୨୩ ତାରିଖ ଦୋଳ ପୂର୍ଣ୍ଣିମା ଦିନ କଟକ ରେଳ ଷ୍ଟେସନରେ ପ୍ରଥମେ ଗାନ୍ଧିଜୀ ଓଡିଶା ଆଗମନ କରିଥିଲେ । ଓଡିଶାରେ ଅରଟ ଅଭିଯାନର ଆରମ୍ଭ କରିଥିଲେ । କୁଟି ଖାଓ, କାଟି ପିନ୍ଧ, ସ୍ୱଦେଶୀ ଜିନିଷ ବ୍ୟବହାର କର, ବିଦେଶୀ ଜିନିଷ ବର୍ଜନ କର ଏହାଥିଲା ଗାନ୍ଧିଜୀଙ୍କ ମୂଳ ମନ୍ତ୍ର । ଉତ୍କଳର ଭାଗିରଥୀ ପୂଣ୍ୟାତ୍ମା ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ନୀଳକଣ୍ଠ ଦାଶ, ଗୋପବନ୍ଧୁ ଚୌଧୁରୀ, ହରେକୃଷ୍ଣ ମହତାବ, ଆଚାର୍ୟ୍ୟ ହରିହର ଦାସ, ଚନ୍ଦ୍ର ଶେଖର ବେହେରା, ଗାନ୍ଧିଜୀଙ୍କ ପତ୍ନୀ କସ୍ତୁରବା, ନାରୀ ନେତ୍ରୀ ରମାଦେବୀ, ମାଳତୀ ଦେବୀ, ପ୍ରମୁଖ ପରାଧୀନ ଭାରତକୁ ମୁକ୍ତି କରିବା ଦିଗରେ ପ୍ରୟାସ କରିଥିଲେ । କିଭଳି ଲବଣ ସତ୍ୟାଗ୍ରହ ଆନ୍ଦୋଳନକୁ ତୀବ୍ରତର କରିଥିଲେ ଏବଂ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ, ଓଡିଶାର କୁଟୀରଶିଳ୍ପର ବିକାଶ କ୍ଷେତ୍ରରେ ଗାନ୍ଧିଜୀ ଡାକରା ଦେଇଥିଲେ । ସେହି ସମସ୍ତ ଘଟଣାବଳୀକୁ ଆଧାର କରି ଏକ ଭିନ୍ନ ଶୈଳୀ ରୂପକ ନାଟକ “ଗାନ୍ଧୀଙ୍କ ଓଡିଶା”କୁ ରଚନା କରଛନ୍ତି ଶଙ୍କର ତ୍ରିପାଠୀ, ନିର୍ଦ୍ଦେଶନା ରାଜୁ ପାଢୀ ଏବଂ ସହ ନିର୍ଦ୍ଦେଶନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷରେ ସମସ୍ତ କଳାକାରମାନଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା ।


