ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ହସ୍ପିଟାଲର ନର୍ସ କବିତା ମହାନ୍ତିଙ୍କୁ ଡ଼ାକ୍ତର ଅମରେଶ ଶସାନି ମାଡ ମାରିଥିବା ଅଭିଯୋଗ ହୋଇଛି । ନିଶାସକ୍ତ ଅବସ୍ଥାରେ ଡ଼ାକ୍ତର ଅମରେଶ ତାଙ୍କୁ ଅଚେତ ହେବା ପର୍ଯ୍ୟନ୍ତ ନିର୍ଧୁମ ମାଡ଼ ମାରିଛନ୍ତି ବୋଲି କବିତା କହିଛନ୍ତି । ଏହି ଘଟଣାକୁ ନେଇ ଚାପା ଉତେଜନା ଦେଖା ଦେଇଥିବା ବେଳେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ଏସଆଇ ଭାଗ୍ୟଶ୍ରୀ ସ୍ୱାଇଁ ଘଟଣା ସ୍ଥଳକୁ ଯାଇ ନର୍ସଙ୍କ ବୟାନ ରେକର୍ଡ଼ କରିଛନ୍ତି । ଡ଼ାକ୍ତର ଅମରେଶ ଏହି କାଣ୍ଡ ଘଟାଇବା ପରେ ଫେରାର୍ ହୋଇଯାଇଛନ୍ତି । ଗତକାଲି ରାତିରେ ସେ ନିଜ ସହଯୋଗୀ ଓ ଷ୍ଟାଫନର୍ସଙ୍କ ସହ ଲେବର ରୁମରେ ଜଣେ ଗର୍ଭବତୀଙ୍କ ପ୍ରସବରେ ବ୍ୟସ୍ତ ଥିଲେ । ଏହି ସମୟରେ କାର୍ଯ୍ୟରତ ଡ଼ାକ୍ତର ଅମରେଶ ମଦ ପିଇ ଲେବର ରୁମ ବାହାରେ କମେଣ୍ଟ ମାରିଥିଲେ । ବାହାରକୁ ଆସିଲା ପରେ ଅମରେଶ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଏହାର ପ୍ରତିବାଦ କରିବାରୁ ତାଙ୍କୁ ଅଚେତ ହେବା ପର୍ଯ୍ୟନ୍ତ ମାଡ଼ ମାରି ଫେରାର୍ ହୋଇଯାଇଥିଲେ ବୋଲି କୁହାଯାଉଛି । ଚେତା ଫେରିବା ପରେ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ସେ ଦେଖିଥିଲେ । ଏହା ପରେ ସେ ଏନେଇ ପୁଲିସକୁ ସୂଚନା ଦେଇଥିବା ନର୍ସ କବିତା କହିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ଏନେଇ କେଶ ନମ୍ବର ୧୯୧/୧୮ରେ ଏକ ମାମଲା ରୁଜୁ ହୋଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା