ଛତ୍ରପୁରରେ ଜିଲ୍ଲାପାଳଙ୍କ ଚିଲିକା କୂଳରେ ପର୍ଯ୍ୟଟକମାନଙ୍କ ପର୍ଯ୍ୟାପ୍ତ ସୁବିଧା ସୃଷ୍ଟି କରିବା ପାଇଁ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁରରେ ଜିଲ୍ଲାପାଳଙ୍କ ଚିଲିକା କୂଳରେ ପର୍ଯ୍ୟଟକମାନଙ୍କ ପର୍ଯ୍ୟାପ୍ତ ସୁବିଧା ସୃଷ୍ଟି କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ଚିଲିକା ସନ୍ନିକଟରେ ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରିବା, ଗଞ୍ଜାମରୁ ଆଗମନ କରୁଥିବା ପର୍ଯ୍ୟଟକମାନଙ୍କର ପ୍ରବେଶ ପଥ ତଥା ଚିଲିକା କୂଳରେ ଅବସ୍ଥିତ ଓଡିଆ ଆଲପୁର ଗ୍ରାମ ସନ୍ନିକଟରେ ହୋଟେଲ ଶିଳ୍ପର ପ୍ରସାର କରିବା, ପର୍ଯ୍ୟଟକମାନଙ୍କ ରହିବା ଖାଇବାର ବ୍ୟବସ୍ଥା ଏବଂ ଅବସର ବିନୋଦନ ପାଇଁ ଥିବା ବିଜୁ ପଟ୍ଟନାୟକ ପାର୍କର ଉନ୍ନତି କରଣ କରିବା ଯାହା ଫଳରେ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଗଞ୍ଜାମ ପ୍ରତି ଆକୃଷ୍ଟ ହେବେ, ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଓଡିଆ ଆଲପୁର ବିଜୁପଟ୍ଟନାୟକ ପାର୍କର ଉନ୍ନତିକରଣ ପାଇଁ  ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଏହାସହ ଚିଲିକା ନିକଟରେ ଥିବା ସ୍ୱସ୍ତି ହୋଟେଲକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ରାଜପଥରୁ ଓଡିଆ ଆଲପୁର ଦେଇ ସ୍ୱସ୍ତି ହୋଟେଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତ କରାଯିବ । ରାସ୍ତାକୁ ପ୍ରଶସ୍ତ କରାଯିବା ସହିତ ରୋଡ୍ ଡିଭାଇଡର୍ ରହିବ । ରାସ୍ତା ପାଶ୍ୱର୍ରେ ଥିବା ଅଙ୍ଗନବାଡି କେନ୍ଦ୍ରର ଛୋଟ ପିଲାମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିପଦ ସଙ୍କୁଳରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ନିରାପଦ ଜାଗାକୁ ସ୍ଥାନାନ୍ତର ହେବ । ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ ତାରକୁ ଉପଯୁ୍କ୍ତ ଉଚ୍ଚତାରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜୁ ପଟ୍ଟନାୟକ ପାର୍କର ସମସ୍ତ ବୃକ୍ଷ ସୁରକ୍ଷିତ ରଖି ତା ମଧ୍ୟରେ ପାଦଚଲା ରାସ୍ତା, ସିମେଣ୍ଟ ଚୌକି ଓ ଆଲୋକୀକରଣ କରାଯିବ । ପାର୍କରେ ଅଧିକ ସଂଖ୍ୟାରେ ଫଲୁଗଛ ରୋପଣ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ନିକଟରେ ଥିବା ହେଲିପ୍ୟାଡ୍ର ଉନ୍ନତିକରଣ କରାଯାଇ ଏହାକୁ ପର୍ଯ୍ୟଟକମାନଙ୍କ ଆଗମନ ପାଇଁ ଉନ୍ମୁକ୍ତ ରଖାଯିବ । ସେଠାରେ ଚୋରାମଦ କାରବାରକୁ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ଜିଲ୍ଲାପାଳ ଖଲ୍ଲିକୋଟ ବ୍ଲକ ଅବକାରୀ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ୍ ବିଭାଗର ଥିବା ଜମିରେ ଉକ୍ତ ସଂସ୍ଥା ଏକ ଅତିଥି ଭବନ ନିର୍ମାଣ କରିବାକୁ କୁହାଯାଇଛି । ରାସ୍ତାରେ ଉଚ୍ଚକୋଟୀର ସାଇନେଜ୍ ଲଗାଯିବ । ଗଞ୍ଜାମ ପର୍ଯ୍ୟଟନକୁ ଅଧିକ ପ୍ରସାରିତ କରିବାରେ ଚିଲିକା ନିକଟସ୍ଥ ପର୍ଯ୍ୟଟନ ସମ୍ଭାର ଅଧିକ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାଶ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ରାଜସ୍ୱ ଅଧିକାରୀ ଡ.ଦିବ୍ୟଲୋଚନ ମହନ୍ତ, ଛତ୍ରପୁର ଡିଭିଜନ ସାଉଥ୍କୋ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଭାତ କୁମାର କର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା