
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଦିବସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମହା ସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ପଡିଆରେ ଅନୁଷ୍ଠିତ କରାଯାଇଛି । ଏହି ଅବସରରେ ସଭାସ୍ଥଳି ମହିଳାମାନଙ୍କ ହୁଳହୁଳି ଏବଂ କରତାଳିରେ କମ୍ପିଉଠିଥିଲା । ଏଲଇଡି ଟିଭି ମାଧ୍ୟମରେ ସିଧାପ୍ରସାରଣ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ପଞ୍ଚାୟତ ପ୍ରତିନିଧି, ମହିଳା ଏବଂ ଜନସାଧାରଣଙ୍କୁ ସାଢେ ୪କୋଟି ଓଡିଶାବାସୀଙ୍କ ଆର୍ଶିବାଦରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସିଧାପ୍ରସାରଣ ମାଧ୍ୟମରେ ବକ୍ତବ୍ୟ ଶୁଣିବା ନିମନ୍ତେ ଅପେକ୍ଷା କରିଥିବା ହଜାର ହଜାର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣି ଥିଲେ । ଏହାସହ ଶଙ୍ଖଧ୍ୱନୀ, ଭାରତଲୀଳା ଏବଂ ସମ୍ବଲପୁରୀ ନାଚ ପ୍ରଦର୍ଶନ କରାଯାଇଥିଲା । ଭୁବନେଶ୍ୱର ସଚିବାଳୟରେ ରାଜ୍ୟ ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରି ପଞ୍ଚାୟତରାଜ ଦିବସ ଅବସରରେ ଓଡିଶା ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଓଡିଶାବାସୀଙ୍କ ଆର୍ଶିବାଦରେ ୨୪ ମଇ ୨୦୧୪ ମସିହାରେ ଚତୁର୍ଥ ଥର ପାଇଁ ସରକାର ବିଦ୍ଧିବଦ୍ଧ ଭାବେ ଗ୍ରହଣ କରିଛୁ, ଲୋକଙ୍କୁ ଦେଇଥିବା କଥା କେତେ ପରିମାଣରେ ପୂରଣ ହୋଇଛି ତାହା ମୁଁ ବାରମ୍ବାର ମୋର ପରିବାର ସହିତ ସମୀକ୍ଷା କରିଛି । ବର୍ତ୍ତମାନ ୫ ବର୍ଷ ସରିବାକୁ ଯାଉଛି ମୋ ପ୍ରିୟ ଓଡିଶାବାସୀଙ୍କୁ କେତେ ସଫଳ ହୋଇଛି ତାହା ଆପଣଙ୍କ ପାଖରେ ଉପସ୍ଥାପନା କରିଛି । ଆଶା, ଅଙ୍ଗନବାଡି, ମିସନ୍ ଶକ୍ତି ମା’ପଞ୍ଚାୟତରାଜ ପ୍ରତିନିଧି ଏବଂ ସମସ୍ତ ଓଡିଶାବାସୀଙ୍କ ସହଯୋଗରେ ମୋର ସରକାର ଏତେ ବାଟ ଆସି ପାରିଛି । ଆଜି ସାଢେ ୪ କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଦେବା ସହ ମୋର ପରିବାର ଓଡିଶାବାସୀଙ୍କୁ ନିରନ୍ତର ସେବା ଯୋଗାଇ ଥିବାରୁ ମୋର ପରିବାରକୁ ମଧ୍ୟ ଧନ୍ୟବାଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଦିବସ ଅବସରରେ ଜଣାଇଛନ୍ତି । ଏହି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପଂଚାୟତରାଜ ଦିବସ ପାଳନ ଅବସରରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁରି ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ତାଙ୍କରି ଅଭିଭାଷଣରେ ପ୍ରବାଦ ପୁରୁଷ ତଥା ମହାଜନନାୟକ ସ୍ୱର୍ଗତ ବିଜୁବାବୁଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଓଡିଶାବାସୀଙ୍କ ପାଇଁ ତାଙ୍କରି ଉତ୍ସର୍ଗୀତ ସେବା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଡିଏ ଅଧ୍ୟକ୍ଷ ସୁବାସ, ମହାରଣା, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍.କିଶୋର ଚନ୍ଦ୍ର ରେଡ୍ଡି, କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡି, ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା,କାଳିପଲ୍ଲୀ ସରପଞ୍ଚ ଶ୍ରୀରାମ ବେହେରା, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡି, ସମିତି ସଭ୍ୟ ଜୟଦେବ ଲେଙ୍କା, ନରେନ୍ଦ୍ରପୁର ସମିତି ସଭ୍ୟ ଜ୍ୟୋତିରଞ୍ଜନ ସାହୁ, ମହାନାଦପୁର ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ଅଗସ୍ତିନୂଆଗାଁ ସମିତି ସଭ୍ୟା ବାସନ୍ତୀ ଜାନୀ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଡିଆରଡିଏ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା, ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଜିଲ୍ଲା ପଂଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଜିଲ୍ଲାସ୍ତରୀୟ ସମାରୋହରେ ହଜାର ହଜାର ସଂଖ୍ୟାରେ ମହିଳା ଉପସ୍ଥିତ ଥିବାବେଳେ ଛତ୍ରପୁର ବ୍ଲକର ସମସ୍ତ କର୍ମଚାରୀ, ଡିଆରଡିଏର ସମସ୍ତ କର୍ମଚାରୀ ଏବଂ ବିଜୁ ଯୁବବାହିନୀର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ ସମାରୋହରେ ଭୁବନେଶ୍ୱରର ଜ୍ଞାନାନନ୍ଦ ସାଗର ସଂଯୋଜନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା