ଛତ୍ରପୁରରେ ବିଶ୍ୱ ଶୌଚାଳୟ ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ହେଉଛି ବିଶ୍ୱ ଶୌଚାଳୟ ଦିବସ । ଏହି ଅବସରେ ସ୍ୱଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶାର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚାଇବା ପାଇଁ ଗଞ୍ଜାମ ଜିଲ୍ଲା ସଦର ମହକୁମା ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ରାସ୍ତା କଡ଼ରେ ଝାଡ଼ା ଫେରିବାରୁ ନିବୃତ ରହିବା ଦିଗରେ ଗ୍ରାମବାସୀଙ୍କୁ ସଚେତନ କରାଇ ସଫଳତା ହାସଲ କରିଥିବା ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ, ବ୍ଲକ ସଂଯୋଜକ, କ୍ଲଷ୍ଟର ସଂଯୋଜକ, ଡ଼ାଟା ଏନଟ୍ରି ଅପରେଟର ପ୍ରମୁଖଙ୍କୁ ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପ ନିର୍ଦ୍ଦେଶକ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରା, ଆରଡ଼ବ୍ଲୁଏସଏସ୍ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ଅରବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମିଶନର ଜିଲ୍ଲା ସଂଯୋଜିକା ପି. ସରିତା ଓ ସହ ସଂଯୋଜକ ମହେଶ କୁମାର ତରେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭିଡ଼ିଓ କନଫେରେନସିଂ ଜରିଆରେ ବିଶ୍ୱ ଶୌଚାଳୟ ସଂଗଠନର ପ୍ରତିଷ୍ଠାତା ଜ୍ୟାକ୍ ସିଂ ଓ କେନ୍ଦ୍ର ଜଳ ଓ ପରିମଳ ମିଶନର ସଚିବ ପରମେଶ୍ୱର ଆୟାର ଜିଲ୍ଲାର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କରାଯାଇଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଆସିକା, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, ଜଗନ୍ନାଥପ୍ରସାଦ, ଗଞ୍ଜାମ, ଛତ୍ରପୁର, ଭଞ୍ଜନଗର, ରଙ୍ଗେଇଲୁଣ୍ଡା, ବେଲଗୁଣ୍ଠା, ପୋଲସରା ଆଦି ବ୍ଲକକୁ ବାହ୍ୟ ମଳମୁକ୍ତ ବ୍ଲକ୍ ରୂପେ ଘୋଷଣା କରାଯାଇଥିଲା ।  ବାହାରେ ଝାଡ଼ା ନଫେରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ଉପାୟ ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଏବେ ପ୍ରତି ବ୍ଲକରେ ଏକ ମୋବାଇଲ ଭ୍ୟାନ ସନ୍ଧ୍ୟା ଓ ସକାଳେ ସାଇରନ୍ ବଜାଇ ବୁଲିବ ଯେଉଁ ମାନେ ଝାଡ଼ା ଫେରୁଥିବେ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯିବ ।

 ରିପୋର୍ଟ : ନିମାଇଁ ଚରଣ ପଣ୍ଡା