ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ହେଡକ୍ୱାଟର ଛତ୍ରପୁରରେ ଏକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା ହୋଇଯାଇଛି । ପୂର୍ବରୁ ସର୍କିଟ ହାଉସରେ ସୁଇମିଂ ପୁଲ ଓ ଟେନିସ କୋର୍ଟ ଉଦଘାଟିତ ହୋଇଥିଲା । ଏହାର ନିକଟରେ ଓପନ ଏୟାର ଜିମ ଉଦଘାଟିତ ହୋଇସାରିଛି । ଏଥିରେ ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ଏନଏସି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ମନୋଜ ପାଢ଼ୀ. ଜି. ପାପା ରାଓ, ପୂର୍ବତନ କାଉନସିଲର ଟି. ଚନ୍ଦ୍ରଶେଖର ରାଓ, ବି ରାଜିବାବୁ ପ୍ରମୁଖ ଯୋଗ ଦେଇଥିଲେ । ସୁଇମିଂ ପୁଲ, ଟେନିସ କୋର୍ଟ ଓ ଓପନ ଏୟାର ଜିମିକୁ ନେଇ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯାଇଥିବା ସୂଚନା ଦିଆଯାଇଛି । ଚାତ୍ରପୁରରେ କ୍ରୀଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଦାନ ମଞ୍ଜୁର କରି ଚାଲିଥିବା ବିଧାୟକ ଡା. ପ୍ରଧାନ କହିଛନ୍ତି । ବିନା ମୂଲ୍ୟରେ ବ୍ୟାୟାମ କରିବାକୁ ଏହି ଓପନ ଏୟାର ଜିମକୁ ଛତ୍ରପୁର ଏନଏସି ପକ୍ଷରୁ ପ୍ରତିଷ୍ଠା କରାଯାଇଛି । ଏଠାରେ ସିସି କ୍ୟାମେରା ଲଗାଇବା ସହ ସୁରକ୍ଷା କର୍ମୀ ମୁତୟନ, ଠିକ ଭାବେ ରକ୍ଷଣାବେକ୍ଷଣା, ଫାଉଣ୍ଟେନ ବ୍ୟବସ୍ଥା, ସୁନ୍ଦର ଗଛ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସୁଇମିଂ ପୁଲରେ ସୁଇମିଂ କରିବା ଓ ପ୍ରଶିକ୍ଷଣ ନେବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ସହ ଆବେଦନ କରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁଇମିଂ ପାଇଁ ଜଣେ ଟ୍ରେନର କମ ଲାଇଫ ଗାର୍ଡ ରହିବେ । ଟେନିସ ପାଇଁ କୋଚିଂ ବ୍ୟବସ୍ଥା କରାଯିବ । ଏହି ଓପନ ଏୟାର ଜିମ ୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏଥିସହ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହସ୍ପିଟାଲ ସମ୍ମୁଖରେ ୨ନଂ ଓ ୫ନଂ ୱାର୍ଡରେ ୩ଟି ଆମ ଶୌଚାଳୟକୁ ବିଧାୟକ ଡା. ପ୍ରଧାନ ଉଦଘାଟନ କରିଥିଲେ । ଛତ୍ରପୁର ସହରରେ ୭ ଲକ୍ଷ ତାଙ୍କର ଭ୍ରାମ୍ୟମାଣ ଶୌଚାଳୟର ଶୁଭାରମ୍ଭ ହୋଇଛି । ପିଲିବନ୍ଧର ଉନ୍ନତିକରଣ, ଟୟ ଟ୍ରେନ ଓ ବୋଟିଂ ପାଇଁ ବିଧାୟକ ଭତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ ୧କୋଟି ୫୦ ଲକ୍ଷ ଟଙ୍କା ଏନଏସି ପକ୍ଷରୁ ବ୍ୟୟ କରାଯିବ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା