
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜନସାଧାରଣ ନିଜ ଉତ୍ତଦାୟିତ୍ଵ ନିର୍ବାହ କରି ନିଜ ଘର ଓ ବ୍ୟବସାୟ ପରିସରରେ ସ୍ୱଚ୍ଛତା ଵଜାୟ ରଖିବା ଆବଶ୍ୟକ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ୟୁଥ ମାସ ସେବା ସଂଘ ପକ୍ଷରୁ ଛତ୍ରପୁରରେ ସ୍ୱଚ୍ଛତା ଵଜାୟ ରଖିବା ପାଇଁ ଏକ ଅନନ୍ୟ ପ୍ରୟାସ ଆରମ୍ଭ ହୋଇଛି । ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଆଜିକାଲି ପଲିଥିନ ପ୍ୟାକିଂ ହୋଇ ଆସୁଥିବା ହେତୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରୁଛି । ଏଣୁ ଏହି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସଂଘ ପକ୍ଷରୁ ଏକ ଉପହାର ଯୋଜନା ଆରମ୍ଭ କରିଛନ୍ତି । ଏଣିକି ସମସ୍ତ ପ୍ରକାର ଖାଉଟି ସାମଗ୍ରୀର ପ୍ୟାକିଂ ବର୍ଜ୍ୟବସ୍ତୁ ସଂଘ ପକ୍ଷରୁ ସଂଗ୍ରହ କରି ତାହା ବଦଳରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ, ଭାରତୀୟ ବିରଳ ମୃତ୍ତିକା ପ୍ରକଳ୍ପର ବରିଷ୍ଠ ଅଧିକାରୀ ଗତିକୃଷ୍ଣ ନାୟକ, ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ, ସଂଘର ସଭାପତି ବନମାଳୀ ନେପାକ, ସମ୍ପାଦକ ସୟଦ ମୁକ୍ତାର, ବି ଶ୍ରୀନୁବାସୁ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା