ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଖଣ୍ଡସ୍ତରୀୟ ସମସ୍ତ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସ୍ଥାନୀୟ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ଛତ୍ରପୁର ଉପଖଣ୍ଡରେ ରହିଥିବା ବିଦ୍ୟାଳୟ ମଧ୍ୟରୁ ଜମି ସମସ୍ୟା ରହିଥିବା ବିଦ୍ୟାଳୟ ସଂକ୍ରାନ୍ତରେ ତହସିଲଦାରମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଇଓମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରତ୍ୟେକ ବିଦ୍ୟାଳୟର ପାନୀୟ ଜଳ ଓ ଶୌଚାଳୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ଉପସ୍ଥାନ ଏବଂ ନିର୍ଦ୍ଧାରିତ ସମୟରେ ଶିକ୍ଷକ ଆସୁଛନ୍ତି କି ନାହିଁ ତାହା ବିଇଓମାନଙ୍କୁ ତଦାରଖ କରିବାକୁ କୁହାଯାଇଛି । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କେନାଲ ଖନନ ବେଳେ ଜମିକୁ ନେଇ ସମସ୍ୟା ଉପୁଜିଲେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବେ । ବିଦ୍ୟୁତ ବିଭାଗର ଯେତେ ଗୁଡିଏ ଟେଣ୍ଡର କାମ ଚାଲିଛି ସେହି ପ୍ରକଳ୍ପର ତୁରନ୍ତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି । ବିଦ୍ୟୁତ ଖୁଣ୍ଟ ପୋତିବା ବେଳେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଆଲୋଚନା କରାଯାଇଛି । ଏଥିସହ ଅନ୍ୟାନ୍ୟ ଲାଇନ ବିଭାଗର ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା