ଛତ୍ରପୁର ଥାନା ଅଧୀନରେ ଜଣେ ନାବାଳକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ..

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣିଆପଲ୍ଲୀ ଏବଂ ନରସିଂହପୁର  ଗ୍ରାମ ଦେଇଯାଇଥିବା ରେଳଲାଇନ୍ ନିକଟ ଆମ୍ବ ତୋଟା ଭିତରେ ଥିବା କିଆଁବୁଦାରେ  ଜଣେ ନାବାଳକର ମୃତ ଦେହ ଆଜି ସନ୍ଧ୍ୟାରେ ପୋଲିସ ଠାବ କରିଛି ।  ମୃତ ନାବାଳକ ଜଣକ ନିମଖଣ୍ଡି ଆଉଟ ପୋଷ୍ଟ ଅଧୀନସ୍ଥ ଗୁରୁଣ୍ଠି ଗ୍ରାମର କୁନୁ ସେଠୀଙ୍କ  ପୁଅ ବୋଲି ଚିହ୍ନଟ କରାଯାଇଛି । ମିଳିଥିବା ସୂଚନାମୁତାବକ  ଗତ ଗୁରୁବାର ଦିନ  ଅପରାହ୍ନ ୩ଟାରେ  ଛତ୍ରପୁର ଥାନା ଅନ୍ତର୍ଗତ ବ୍ରହ୍ମଣିଆପଲ୍ଲୀ ଗ୍ରାମର ଲିଙ୍ଗରାଜ ସେଠୀ (୨୩) ଯୁବକ  ନିମଖଣ୍ଡି ଫାଣ୍ଡି ଅଧୀନସ୍ଥ ଗୁରୁଣ୍ଠି ଗ୍ରାମକୁ  ଯାଇ କୁନୁ ସେଠୀଙ୍କ ପୁଅ ଭିକୁ ସେଠୀ (୧୩) ଙ୍କୁ ପ୍ରଲୋଭନ ଦେଖାଇ ଭିକୁଙ୍କ ନିଜ ସାଇକେଲରେ ବ୍ରାହ୍ମଣିଆପଲ୍ଲୀ ଗ୍ରାମକୁ ନେଇଆସିଥିଲେ । ରାତି ହେବାରୁ ଭିକୁଙ୍କ ପରିବାର ଲୋକ ଖୋଜାଖୋଜି କରିବା ସହ ତାକୁ  ନ ପାଇବାରୁ  ସେମାନେ ଗତକାଲି ନିମଖଣ୍ଡି ଫାଣ୍ଡି ରେ ତାଙ୍କ ପୁଅକୁ ବ୍ରହ୍ମଣିଆପଲ୍ଲୀ ଗ୍ରାମର ଲିଙ୍ଗରାଜ ସେଠୀ ଅପହରଣ କରିଥିବା ନେଇ ଅଭିଯୋଗ କରିଥିଲେ ।  ଆଜି ସନ୍ଧ୍ୟାରେ ଭିକୁ ସେଠୀଙ୍କ ମୃତ ଦେହ ବ୍ରାହ୍ମଣିଆପଲ୍ଲୀ ଓ ନରସିଂହପୁର ରେଳଧାରଣ ନିକଟ ଆମ୍ବ ତୋଟା ପରିସରରେ ଥିବା କିଆବୁଦା ତଳେ ପଡିଥିବାର ସ୍ଥାନୀୟ ଲୋକଙ୍କ ଠାରୁ  ପରିବାର ବର୍ଗ ଖବର ପାଇଥିଲେ । ଏହାସହ ଛତ୍ରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭିକୁସେଠୀର ପଡିଥିବା ମୃତ ଦେହ ଠାବ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ମୃତ ଭିକୁସେଠୀଙ୍କ ପରିବାର ବର୍ଗ  ଏହା ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା  ଲିଙ୍ଗରାଜ ସେଠୀ ନାମକ ଯୁବକ ଫେରାର ଥିବା କୁହାଯାଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ କହିଛି  ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା