

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହରର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ନିକଟସ୍ଥ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ଛୋଟ ବେପାରୀମାନେ ପନିପରିବା ବ୍ୟବସାୟ କରୁଥିବା ବେଳେ ପ୍ରବଳ ମାତ୍ରାରେ ଭିଡ଼ ଜମି ରହୁଥିବାରୁ ପ୍ରବଳ ଟ୍ରାଫିକ ସମସ୍ୟା ଦେଖାଦେଉଛି । ତେଣୁ ବାରମ୍ବାର ବ୍ୟବସାୟୀମାନଙ୍କୁ ତାଗିତ କରାଯାଇଥିଲେ ମଧ୍ୟ ଟ୍ରାଫିକ ସମସ୍ୟାରେ ସୁଧାର ଆସୁନାହିଁ । ଏଣୁ ଗତକାଲି ସକାଳ ପ୍ରାୟ ସାଢେ ସାତଟା ସମୟରେ ପୋଲିସ ଓ ଏନଏସି ପକ୍ଷରୁ ଚଢ଼ାଉ କରାଯାଇଥିଲା । ସମ୍ପୂର୍ଣ୍ଣ ଟ୍ରାଫିକ ଜାମ କରି ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ୨ ହଜାର ଜରିମାନା ଆଦାୟ କରାଯାଇଥିବା ବେଳେ ମାଛ ବଜାରରେ ପଲିଥିନ ବ୍ୟବହାର ଉପରେ ଚଢ଼ାଉ କରାଯାଇ ଜଣେ ମାଛ ବେପାରୀଙ୍କ ଠାରୁ ୧ ହଜାର ଜରିମାନା ଆଦାୟ କରାଯାଇଛି । ଏଥିସହ ରାସ୍ତା କଡରେ ପନିପରିବା ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାର ନିକଟରେ ଥିବା ସ୍ଥାୟୀ ପନିପରିବା ବଜାରରେ ହୋଲସେଲ ପନିପରିବା ଓ ବଡ଼ ବେପାରୀମାନଙ୍କୁ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କ୍ଷୁଦ୍ର ପନିପରିବା ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ କମ ମୂଲ୍ୟରେ ସମସ୍ତ ପନିପରିବା ଗୁଡିକୁ ହାତେଇବାକୁ ଚେଷ୍ଟା କରୁଥିବା ବ୍ୟବସାୟୀମାନଙ୍କୁ ତାଗିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଏନଏସିର ଏସଆଇ ଗୌରହରି ପଣ୍ଡା, ଏସ.ଦଲେୟା ରେଡ୍ଡୀ ଓ ଯୁଗଳ କିଶୋର ଦାସ, ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, ଛତ୍ରପୁର ଏନଏସିର ଆଇନ ପରାମର୍ଶଦାତା ବି. ଶ୍ରୀନିବାସ, ଆଇନଜୀବୀ ସଞ୍ଜୟ କୁମାର ବେହେରା, ଚୈତନ୍ୟ ପ୍ରଧାନ, ସୁରେଶ ଚନ୍ଦ୍ର ସେନାପତି ଏବଂ ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା





