

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ସମ୍ମିଳନୀ ଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନବ ନିର୍ବାଚିତ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ବ୍ଲକ କର୍ମଚାରୀ, ପଞ୍ଚାୟତିରାଜ ପ୍ରତିନିଧି, ଓଡିଶା ଜିବୀକା ମିଶନ ଟିମ୍ ଓ ଶିକ୍ଷା ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଛତ୍ରପୁର ବ୍ଲକର ବିଭିନ୍ନ ଗାଁରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ନବନିର୍ବାଚିତ ବିଧାୟକ ସୁବାସ ଚନ୍ଦ୍ର ବେହେରା ସମୀକ୍ଷା କରିଥିଲେ । ଅନୁଷ୍ଠିତ ଏହି ସଭାରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ଏହାକୁ ସଂଯୋଜନା କରିଥିଲେ । ଏବିଡିଓ ପ୍ରଦୀପ କୁମାର ପଣ୍ଡା ସ୍ୱାଗତ ସମ୍ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ ଓ ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ବ୍ଲକକୁ ଆଦର୍ଶ ସହ ବିକଶିତ କରି ରାଜ୍ୟରେ ଏକ ନମ୍ବର କରିବା ଉପରେ ଗୁରତ୍ୱାରୋପ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏହାସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟରେ ସହାୟତା ବଣ୍ଟନ କରିବା ସହ କିଭଳି ଲକ୍ଷ୍ୟ ପୂରଣ ହୋଇପାରିବ ସେ ଉପରେ ବିଧାୟକ ଗୁରୁତ୍ୱ ଦେଇଛନ୍ତି । ଜିଲାପରିଷଦ ସଭାପତି ଥିବାବେଳେ ମଧ୍ୟ ବର୍ତ୍ତମାନର ନବନିର୍ବାଚିତ ବିଧାୟକ ସୁବାସ ଚନ୍ଦ୍ର ବେହେରା ସର୍ବଦା ଛତ୍ରପରୁ ବ୍ଲକର ବିଭିନ୍ନ ବିକାଶ କାର୍ଯ୍ୟରେ ହାତ ବଢାଇଛନ୍ତି ଏବଂ ଆଗାମୀ ୫ବର୍ଷ ମଧ୍ୟ ଏହି ଧାରା ବଜାୟ ରଖିବାକୁ ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ସମ୍ବର୍ଦ୍ଧନା ସଭାରେ ଅନୁରୋଧ କରିଛନ୍ତି । ଏହି ବୈଠକରେ ସୂଚନା ଦିଆଯାଇଛି ଯେ ମଧୁବାବୁ ପେନସନ୍ ଯୋଜନାରେ ୧୪୪୯ ଜଣଙ୍କୁ ସାମିଲ କରିବାକୁ ବାକି ରହିଛନ୍ତି, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୧୫୦ଜଣ ପରିବାରଙ୍କୁ ସାମିଲ କରାଯିବ, ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ଜଣଙ୍କୁ ସାମିଲ ପାଇଁ ବାକି ରହିଛି, ୨୩୪ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ୧୧୦ ଜଣଙ୍କୁ ଘର ନିର୍ମାଣ ପାଇଁ ସହାୟତା ଦିଆଯାଇଥିବା ବେଳେ ତୁରନ୍ତ ଅନ୍ୟମାନଙ୍କୁ ଯୋଜନାରେ ସାମିଲ କରିବାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗୁରୁତ୍ୱାରୋପ କରିଛନ୍ତି । ବସୁଧା ଯୋଜନାରେ ଛତ୍ରପୁର ବ୍ଲକର କୁମାର ବେଗପଲ୍ଲୀ ଓ ଗଙ୍ଗାପୁରରେ ପାନୀୟ ଜଳ ଯେଗାଣ ପ୍ରକଳ୍ପ ଆରମ୍ଭ ହୋଇନାହିଁ । ବଳରାମପୁରରେ ପ୍ରକଳ୍ପ ପାଇଁ ଜମି ବିବାଦ ରହିଛି । ଦୁଆନପଲ୍ଲୀ, ହଂସପୁରରେ ପ୍ରକଳ୍ପକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୋବା, ନରେନ୍ଦ୍ରପୁରରେ ପ୍ରକଳ୍ପ ପାଇଁ ଟେଣ୍ଡର ସରିଛି । ପୂର୍ବତନ ବିଧାୟକ ଡା.ପ୍ରିୟାଂଶୁ ପ୍ରଧାନ ୫୮ ନଳକୂପ ପାଇଁ ତାଲିକା ଦେଇଛନ୍ତି । ସେଥିରୁ ୪ଟି ଖନନ ହୋଇଛି । ବର୍ଷା ଦିନ ପୂର୍ବରୁ ଏହାର ଖନନ ସାରିବାକୁ ବୈଠକରେ ବିଧାୟକ ଓ ବକ୍ଲ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ବଡପୁଟି ଅଞ୍ଚଳରେ ପାଣି ସମସ୍ୟା ଦୂର ପାଇଁ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି । ୫୫ ଅଙ୍ଗନୱାଡି କେନ୍ଦ୍ର ପାଇଁ ମଞ୍ଜୁରୀ ମିଳିଥିବା ବେଳେ ୩୩ଟିର ନିର୍ମାଣ ସରିଛି । ୨୦ଟିର ନିର୍ମାଣ ଚାଲିଥିବା ବେଳେ ୨ଟିର କାମ ଆରମ୍ଭ ହୋଇନାହିଁ । ଆମଗାଁ ଆମ ବିକାଶରେ ୧୧୦ରୁ ୬୬ ପ୍ରକଳ୍ପର କାମ ସରିଛି । ଚାରରୋପଣ ପାଇଁ ସ୍ୱତନ୍ତ୍ର ଡ୍ରାଇଭ, ଏମପି ଓ ବିଧାୟକ ହାତପାଣ୍ଠି ଅନୁଦାନ ଖର୍ଚ୍ଚ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଛତ୍ରପୁର ବ୍ଲକକୁ ଆଦର୍ଶ ସହ ବିକଶିତ କରି ରାଜ୍ୟରେ ଏକ ନମ୍ବର କରିବା ପାଇଁ ଲକ୍ଷ ରଖାଯିବା ସହ ନିର୍ଦ୍ଧାରିତ ସମୟ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


