
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସରକାରୀ ହାଇସ୍କୁଲ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଵୃଷକେତୁ ଦାଶ ଓ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର ସଭା ପରିଚାଳନା କରିଥିଲେ । ଏହି ଅଭିଯାନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ସ୍କୁଲର ବିକାଶ ପାଇଁ ଅର୍ଥ ଦାନ କରିଥିବା ପୁରାତନ ଛାତ୍ର ଓ ଗାଁ କମିଟିକୁ ମାନପତ୍ର ଦେଇ ସମ୍ମାନିତ କରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନୀତା ସେନାପତି, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ନାୟକଙ୍କ ସମେତ ସମସ୍ତ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ, ସିଆରସିସିମାନେ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲାର ୨୨ବ୍ଳକରୁ ଆଲୁମନି ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ ଓ ବିଭିନ୍ନ ପ୍ରତିଯୋଗିତାର କୃତିମାନେ ଯୋଗ ଦେଇଥିଲେ । ବିଭିନ୍ନ ବ୍ଲକରେ ଅନୁଷ୍ଠିତ ରଙ୍ଗୋଲି ଓ ବକୃତା ପ୍ରତିଯୋଗିତାର କୃତିମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହୋଇଥିଲା ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କରାତଳି ଓ କଣମଣା ଉଚ୍ଚ ପ୍ରାଥମିକ ସ୍କୁଲ, ଦଶପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନୃତ୍ୟ ପାଇଁ ପୁରସ୍କୃତ ହୋଇଥିଲେ । ଛତ୍ରପୁର ବ୍ଲକର ବିଭିନ୍ନ ସ୍କୁଲର ପୁରାତନ ଛାତ୍ର ଓ ଗାଁ କମିଟି ଏହି ଅଭିଯାନ ପାଇଁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


