
ଜଳେଶ୍ୱର (ସମୃଦ୍ଧ ଓଡିଶା) ପୁରୀ ଗୋବର୍ଦ୍ଧନପୀଠର ପୀଠାଧିଶ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଆସନ୍ତା ୨୦ ତାରିଖରେ ଭୋଗରାଇ ଗସ୍ତ ଉପଲକ୍ଷେ ଜଳେଶ୍ୱର ଷ୍ଟେସନରୁ ସେଠାକୁ ଯିବାର କାର୍ଯ୍ୟକ୍ରମ ଥିବାରୁ ଜଳେଶ୍ୱର ସହର ଚଳଚଞ୍ଚଳ ହୋଇ ଉଠିଛି । ଆସନ୍ତା ରବିବାର ନନ୍ଦନକାନନ ଏକ୍ସପ୍ରେସ୍ ଯୋଗେ ସେ ଉତ୍ତର ପ୍ରଦେଶର ଆହ୍ଲାବାଦରୁ ଆସୁଥିବାରୁ ଜଳେଶ୍ୱର ଷ୍ଟେସନରେ ତାଙ୍କ ଲାଗି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳ ୬ଟାରେ ସେ ଜଳେଶ୍ୱର ଷ୍ଟେସନ ୩ନଂ ପ୍ଲାଟଫର୍ମରେ ଓହ୍ଲାଇ ଏକ ସ୍ୱତନ୍ତ୍ର ଟ୍ରଲି ଯୋଗେ ୧ନଂ ପ୍ଲାଟଫର୍ମକୁ ଅଣାଯାଇ ସେଠାରୁ ଭୋଗରାଇ ଯିବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱରବାସୀଙ୍କ ପକ୍ଷରୁ ଶ୍ରୀ ଶ୍ରୀ ମହାରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଜଳେଶ୍ୱରର ଷ୍ଟେସନ ଛକ, ହାଟଛକ, ବଡବଜାର ଛକ, ଷ୍ଟେଟବ୍ୟାଙ୍କ ଛକ, ନୂଆବଜାର ଛକ ପ୍ରମୃତି ସ୍ଥାନରେ ଶଙ୍କରାଚାର୍ଯ୍ୟଙ୍କୁ ସ୍ୱାଗତ ଜଣାଇ ବଡବଡ ହୋଡିଂ ଟଙ୍ଗା ଯାଇଛି । ସେହିଦିନ ଷ୍ଟେସନ ପରିସରକୁ ଗୈରୀକ ଧ୍ୱଜରେ ସୁସଜ୍ଜିତ କରାଯିବା ସଙ୍ଗେ ସଙ୍ଗେ ମହାରାଜଙ୍କୁ ବନ୍ଦାପନା ଓ ସଂର୍କୀତ୍ତନର ତାଳେତାଳେ ବେଦମନ୍ତ୍ର ଉଚ୍ଚାରଣ କରି ପାଛୋଟି ଅଣାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ମହିଳା ଶ୍ରଦ୍ଧାଳୁମାନେ ଶଙ୍ଖନାଦ କରି ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ଆଦିତ୍ୟ ବାହିନୀର ଜିଲ୍ଲା ସଂଯୋଜକ କୁମାର ସତ୍ୟଜିତ୍ ଓ ଜଳେଶ୍ୱର ବାସୀଙ୍କ ପକ୍ଷରୁ ଅଜିତ୍ କୁମାର ମହାନ୍ତି, ଅନନ୍ତ କୁମାର ଦାସ, ସୁକୁମାର ରଣା, ହେମନ୍ତ କୁମାର ଦାସ, ଫାଲଗୁନୀ ପାଣିଗ୍ରାହୀ, ଚନ୍ଦନ ଦାସ, ରାଧାଶ୍ୟାମ ଦାସ, ଗଣେଶ ଚନ୍ଦ୍ର ମାଇତି, ସତ୍ୟରଞ୍ଜନ ଦାସ, ପବନ କୁମାର ସାହୁ, ଗିରିଜା ଶଙ୍କର କର, ଗୌରୀପଦ ସେନାପତି, ପ୍ରବୀର କୁମାର ପ୍ରଧାନ, ଅବନୀ ଚାନ୍ଦ, ରବିନାରାୟଣ ପାତ୍ର , ଗୌରଗୋପାଳ ସେଣ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଶଙ୍କରାଚାର୍ଯ୍ୟଙ୍କୁ କେନ୍ଦ୍ର ସରକାର ଜେଡ୍ ସୁରକ୍ଷା ପ୍ରଦାନ କରୁଥିବାରୁ ଷ୍ଟେସନ ପରିସରରେ ଆଇନଶୃଙ୍ଖଳା କଡାକଡି କରାଯିବ ବୋଲି ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା