ଜଗତର ନାଥ ଶ୍ରୀଜଗନ୍ନାଥ ଯୁଗ ଯୁଗ ଧରି ଷୁରୁଷୋତ୍ତମ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଜଗତର ନାଥ ଶ୍ରୀଜଗନ୍ନାଥ ଯୁଗ ଯୁଗ ଧରି ଷୁରୁଷୋତ୍ତମ । ସେ ରାଷ୍ଟ୍ରଦେବତା, ଗଣଦେବତା ରୂପେ ପୂଜିତ । ସେ ଅଦ୍ୱିତୀୟ ଓ ଅନନ୍ତ ସତ୍ତାର ସ୍ୱରୂପ । ସର୍ବମତବାଦ ଚେତନାରେ ସେ ସର୍ବଶ୍ରେଷ୍ଠ, ସର୍ବଶକ୍ତିମାନ, ସର୍ବବିଦ୍ୟମାନ, ସର୍ବବୃହତ ଓ ସର୍ବବ୍ୟାପୀ । ଏହା ମାନବ କଲ୍ୟାଣ ଲାଗି ଆସ୍ଥାନ ପୁରୁଷୋତ୍ତମ କ୍ଷେତ୍ରରେ ଜମାଇଛନ୍ତି । ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ, ସୌର, ଅଦ୍ୱୈତ, ଦ୍ୱୈତ ଓ ସର୍ବୋପରି ମହାନ ସମନ୍ୱୟକାରୀ ପରଂବ୍ରହ୍ମ । ତଥାପି ବିଭିନ୍ନ ସମୟରେ ବିଭିନ୍ନ ଧର୍ମାନ୍ଧ କୁଚକ୍ରୀ ମାନେ ଏହାର ସତ୍ତାକୁ ବିଲୋପ କରିବାକୁ ଆକ୍ରମଣ କରି ଧନ, ରତ୍ନ ଲୁଣ୍ଠନ କରିବା ସହିତ ମନ୍ଦିର ଭାଙ୍ଗି ଦାରୁଦେବତାଙ୍କୁ ପୋଡିଦେବାକୁ ପଛେଇ ନାହାନ୍ତି । କିନ୍ତୁ ଅଦ୍ୟାବଧି ଜନ ସମୁଦ୍ର ଛୁଟୁଛି ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଚକାଆଖିକୁ ଦର୍ଶନ କରିବା ପାଇଁ । ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଥିବା ମନ୍ଦିରକୁ ରକ୍ତବାହୁ ଖ୍ରୀଷ୍ଟୀୟ ୩୧୮ ବେଳକୁ ବିଧ୍ୱସ୍ତ କରିଦେଇଥିଲା । କେଶରୀ ବଂଶ ନରପତି ଯଯାତି କେଶରୀ ପରବର୍ତ୍ତୀ ମନ୍ଦିର ନିର୍ମାଣ କରିଥିଲେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁନଃପ୍ରତିଷ୍ଠା କରିଥିଲେ । ବର୍ତ୍ତମାନର ମନ୍ଦିର ଅନଙ୍ଗ ଭୀମଦେବ ୧୧୭୪ ରୁ ୧୧୯୮ ମଧ୍ୟରେ ନିର୍ମାଣ କରିଥିଲେ । ଏହାପରେ ପରେ ଯବନମାନେ କ୍ରମାଗତ ଭାବେ ଆକ୍ରମଣ ଲୁଣ୍ଠନ କରିଚାଲିଛନ୍ତି । ଏଥିପାଇଁ ଚତୁର୍ଦ୍ଧାମୂର୍ତ୍ତୀକଙ୍କୁ ବିଭିନ୍ନ ସ୍ଥାନରେ ଲୁକାୟତ ଭାବରେ ରଖାଯାଇଛି । ଏହାର ମୂକସାକ୍ଷୀ ରୂପେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ମଥୁରା ଗ୍ରାମ ପଞ୍ଚାୟତ ମାରଦା ମନ୍ଦିର ଆଜି ଠିଆ ହୋଇ ରହିଛି । ଏପଟେ ପେଜଗଳା ପର୍ବତମାଳା ଓ ସେପଟେ ହାତୀବାରୀ ପର୍ବତମାଳା । ଘଞ୍ଚ ଜଙ୍ଗଲ ମଧ୍ୟରେ ତତ୍କାଳୀନ ଆଠଗଡ ପାଟଣା ରାଜା ଜଗଦ୍ଦେବ ହରିଚନ୍ଦନ ଠାକୁର ମାନଙ୍କୁ ସୁରକ୍ଷିତ ରଖିବାପାଇଁ ଏହି ସୁନ୍ଦର ପଥରରେ ନିର୍ମିତ ମାରଦା ମନ୍ଦିରର ନିର୍ମାଣ କରିଥିଲେ । ଦକ୍ଷିଣ ଦିଗରେ ଋଷିମାଳ ପର୍ବତ କନ୍ୟା ଋଷିକୁଲ୍ୟା ମାଆ ତାରା ତାରିଣୀଙ୍କ ପୀଠ ସ୍ପର୍ଶ କରି ବହୁଥିବା ବେଳେ ଉତ୍ତର ଦିଗରେ ଧନେଈ ନଦୀର ଶୁଭ୍ରଧାରା । କାଜୁ, ବାଉଁଶ, ଆମ୍ବ ପଣସ ବୃକ୍ଷରାଶି କଞ୍ଚ ଜଙ୍ଗଲ ମଧ୍ୟରେ ଏହି ମାରଦା ମନ୍ଦିର ନିର୍ମାଣ କରିଥିଲେ । ଏପଟେ ଓଡିଶା ପ୍ରସିଦ୍ଧ ଲୋକନୃତ୍ୟ ଭାରତ ଲୀଳା ଗ୍ରାମ ଗୁଡିଆପଲ୍ଲୀ ଓ ସେପଟେ କୋଣାର୍କ ମନ୍ଦିରର ନିର୍ମାଣ ପଥର ଶିଳ୍ପୀର ଗ୍ରାମ ମଥୁରା । ସୁନ୍ଦର ପଥରରେ ନିର୍ମିତ ତିନିଥାକିଆ ମାରଦା ମନ୍ଦିର ଇତିହାସର ମୂକସାକ୍ଷୀ ରୂପେ ବିରାଜମାନ । ବଙ୍ଗର ସୁଲତାନ ସେନାପତି ତକିଖାଁର ଆକ୍ରମଣ ଭୟରେ ଠାକୁର ମାନଙ୍କୁ ଏଠାରେ ସୁରକ୍ଷିତ ରଖିବା ପାଇଁ ଏହାକୁ ନିର୍ମାଣ ଅଠରଶହ ଶତାବ୍ଦୀରେ କରାଯାଇଥିଲା ଓ ଏହାର ନାମ ଶରଣ ଶ୍ରୀକ୍ଷେତ୍ର ରଖାଯାଇଛି । ରାମଚନ୍ଦ୍ର ଦେବଙ୍କ ଶାସନ କାଳରେ ୧୭୨୭ ରୁ ୧୭୩୫ ମଧ୍ୟରେ ବଙ୍ଗର ନାଏବନଜିମର ପୁଅ ତକି ଖାଁ ଆକ୍ରମଣ କରିଥିଲେ । ଏହାପରେ ମୁର୍ସୀଦ କୁଲିଖାଁ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ନେଇ ଭୟ ସଞ୍ଚାର ହୋଇଥିଲା । ଏଣୁ ମାରଦା ମନ୍ଦିର ନିର୍ମାଣ ଓ ଶରଣ ପଞ୍ଜରଙ୍କୁ ଏଠାରେ ରଖାଯାଇଥିଲା । ମନ୍ଦିର ଉନ୍ନତି ନିମନ୍ତେ ସୁରକ୍ଷା କମିଟି ଆଜି ସବୁ ବ୍ୟବସ୍ଥା କରିଛନ୍ତି ଓ ଓଡିଶା ସରକାରଙ୍କ ଦ୍ୱାରା ସୁସଡକ ନିର୍ମାଣ କରାଯାଇ ପାରିଛି ।

ରିପୋର୍ଟ : ଦାମୋଦର ପ୍ରଧାନ