

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ମଙ୍ଗଳବାର ପୂର୍ବାହ୍ନରେ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ଅନୁଯାୟୀ ଜିଲା ତଥା ଉପଖଣ୍ଡ ସ୍ତରୀୟ ପ୍ରତ୍ୟାଖ୍ୟାନ କରାଯାଇଥିବା ଆବେଦନଗୁଡିକର ସ୍ୱତଃ ସମୀକ୍ଷା ବୈଠକ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ମଙ୍ଗଳ ଅଧିକାରୀ ଡ. ପରକ୍ଷିତ ଦାସ, ବିିଡିଓ ହଳଧର ଶବର, ଅତିରିକ୍ତ ତହସିଲ ଦାର ମନୋଜ ପ୍ରଭାକର କୁଜୁର୍, ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ, ଗ୍ରାମ୍ୟ ସମାଜ ମଙ୍ଗଳ ଅଧିକାରୀ ଜିତେନ୍ଦ୍ର ମାଲ୍ୟା ପ୍ରମୁଖ ମଞ୍ଚାସୀନ ଥିଲେ । ୨୦୦୬ ମସିହାରେ ଜଙ୍ଗଲ ଜମି ପଟ୍ଟ ପାଇଁ ଆବେଦନ କରିଥିବା ୪୪୯ ଜଣ ଆଦିବାସୀ ହିତାଧିକାରୀଙ୍କ ଅଣ ଜଙ୍ଗଲ କିଷମ ହୋଇଥିବା ଯୋଗୁଁ ଉକ୍ତ ଜଙ୍ଗଲ ଜମି ପଟ୍ଟା ସବୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ମଙ୍ଗଳବାର ବ୍ଳକ ସ୍ତରୀୟ ସମୀକ୍ଷା ଓ ସଚେତନତା ଶିବିର ମାଧ୍ୟମରେ ସେଗୁଡିକର ଆଜି ଜନଶୁଣାଣି କରାଯାଇଥିଲା । ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଳକର ପୋଡାଖାଲ, ବାଲିପାଟ, ଶ୍ୟାମସୁନ୍ଦରପଲୀ, କିଞ୍ଚିରିଡା, ସାନ ବୁରୁଡା, ବଡବୁରୁଡା, ଘାସିଆମ୍ବ, ବିଛାପାଟ, ନୂଆଗାଁ ଆଦି ଗ୍ରାମର ୪୦୦ରୁ ଉଦ୍ଧ୍ୱର୍ ଆଦିବାସୀ ଯୋଗଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

