

ପଦ୍ମପୁର (ସମୃଦ୍ଧ ଓଡିଶା) ଶିକ୍ଷାବିତ୍ ସ୍ୱାଧୀନ କୁମାର ସାହୁ ଶିକ୍ଷକତାକୁ ନିଜ ଜୀବନର ବ୍ରତ ଭାବେ ଆଦରି ନେଇଥିଲେ । ଫଳରେ ଚାରି ଦଶନ୍ଧି ମଧ୍ୟରେ ସେ ଯେଉଁଠି କି ଯାଇଛନ୍ତି ସେଇ ସ୍କୁଲର ସର୍ବାଙ୍ଗୀନ ଉନ୍ନତିରେ ନିଜକୁ ଉତ୍ସର୍ଗୀକୃତ କରି ଆସୁଥିଲେ ଶିକ୍ଷାକ୍ଷେତ୍ରରେ । ଫଳସ୍ୱରୂପ ସେ ବହୁ ମେଧାବୀ ଛାତ୍ରଛାତ୍ରୀ ଗଠନ କରିବା ସହ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ । ତେଣୁ ତାଙ୍କର ବିଦାୟ ସମ୍ବର୍ଦ୍ଧନା ସଭାରେ ପୁରାତନ ଛାତ୍ରସଂସଦ ଠାରୁ ଆରମ୍ଭ କରି ପାଚିକା ସଂଘ, ଅଭିଭାବକ ତଥା ଛାତ୍ରଛାତ୍ରୀଗଣ ବ୍ୟକ୍ତିଗତ ଭାବେ ତାଙ୍କୁ ସମ୍ବର୍ଦ୍ଧିତ କରିବା ଏହାର ଏକ ବଳିଷ୍ଠ ନମୁନା । ସୁତରାଂ ସ୍ୱାଧୀନ ଥିଲେ ସାଲିସ୍ ବିହୀନ ଆଦର୍ଶ ଶିକ୍ଷକ । ବରଗଡ଼ ଜିଲ୍ଲା ବିଜେପୁର ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନ କୁମାର ସାହୁଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଏହି ମତପ୍ରକାଶ ପାଇଛି । ପୁରାତନ ଛାତ୍ରସଂସଦ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ଅମୁଲ୍ୟ ପ୍ରଧାନ ଓ ଦିବାକର ଧରୁଆ, ପୂର୍ବତନ ସ୍କୁଲ ଚେୟାରମେନ ଜନାର୍ଦନ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସ୍କୁଲ ଚେୟାରମେନ ରବି ଶଙ୍କର ଗୁରୁ ସମାରୋହରେ ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ସୁମନ୍ତ ଗଡତୀୟା ଅତିଥି ପରିଚୟ ଓ ସିଆରସିସି ବିଡିଓ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗୌର ଲହରିଆ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଅଧ୍ଯାପକ ପ୍ରଦୀପ କୁମାର ମିଶ୍ର, ଅଧ୍ୟାପକ ରେବନ୍ତ କୁମାର ମେହେର, ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଦେହେରୀ, ସିଆରସିସି ସନ୍ତୋଷ ବାଗ, ସମେତ ବହୁ ବୁଦ୍ଧିଜୀବୀ, ଅଭିଭାବକ ଯୋଗଦେଇ ତାଙ୍କର ନୀରାମୟ ଜୀବନ କାମନା କରିଥିଲେ । ଏହି ଆଦର୍ଶ ଶିକ୍ଷକଙ୍କ ମହନୀୟ ଗୁଣାବଳୀ ଶ୍ରବଣ କରି ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ତାଙ୍କୁ ଅତିଥି ଶିକ୍ଷକ ଭାବେ ଯୋଗଦାନ କରିବାକୁ ଆହ୍ୱାନ କରିବା ସହ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ତାଙ୍କର ସମସ୍ତ ପ୍ରାପ୍ତ ପ୍ରଦାନ ଦିଗରେ ବ୍ୟବସ୍ଥା କରାଯିବ ବୋଲି ସେ ଘୋଷଣା କରିଥିଲେ । ଶିକ୍ଷୟିତ୍ରୀ ଚିତ୍ରଲେଖା ପଧାନଙ୍କୁ ସେ ପ୍ରଧାନ ଶିକ୍ଷକ ଦାୟିତ୍ୱ ହସ୍ତନ୍ତର କରିଥିଲେ । ହେମରେଣୁ ମେହେର, ନିକିତା ଥଇତ ପ୍ରମୁଖ ଛାତ୍ରୀଗଣ ବିଦାୟ ସଂଗୀତ ପରିବେଷଣ କରିଥିଲେ । ପୁରାତନ ଛାତ୍ର ରାଜେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାମାଜିକ ଦୂରତ୍ବ ରକ୍ଷା କରି ମୁହଁରେ ମାସ୍କ ପରିଧାନ ପୂର୍ବକ ଉପସ୍ଥିତ ଅଭିଭାବକ, ବୁଦ୍ଧିଜୀବୀ, ପୁରାତନ ଛାତ୍ରସଂସଦ ଅବସରପ୍ରାପ୍ତ ଶିକ୍ଷକ ସ୍ବାଧୀନ କୁମାର ସାହୁଙ୍କୁ ଭବ୍ୟ ସମାରୋହରେ ସାଦରେ ତାଙ୍କର ଘରକୁ ପାଛୋଟି ନିଆଯାଇଥିଲା ।
ରିପୋର୍ଟ – ନିରୋଜ କୁମାର ପାଣୀ



