ଜନ୍ମକଲା ପିଲାକୁ ମେଡ଼ିକାଲ୍‌ ରୁ ଉଦ୍ଧାର କଲା ପୋଲିସ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଜନ୍ମକଲା ପିଲାକୁ ପାଇଖାନା ଛାଡ଼ି ଚାଲି ଗଲେ ବାପା ମାଆ । ଏପରି ଘଟଣା ଘଟିଛି ବ୍ରହ୍ମପୁରରେ । ପୋଲିସ୍‌ ସହାୟତାରେ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାମାନେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ଏନ୍‌ଏନ୍‌ସିୟୁରେ ଭର୍ତ୍ତି କରିଛନ୍ତି । ଏବେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଡାକ୍ତର କହିଛନ୍ତି। ବେଲଗୁଣ୍ଠା ବ୍ଲକ୍‌ ଖଇରପୁଟ ଗାଁର ଶିଶିର ସ୍ୱାଇଁ ଓ ପତ୍ନୀ ସବିତା ସ୍ୱାଇଁ ୮ ମାସର ଗର୍ଭବତୀ ଥିଲେ। ଗତ ୭ ତାରିଖରେ ସବିତା ଗର୍ଭ ଯନ୍ତ୍ରଣା ପାଇବାରୁ ଶିଶିର ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ପ୍ରାଇଭେଟ୍‌ ହସପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଅଲ୍‌ଟ୍ରାସାଉଣ୍ଡ କରିଥିଲେ। ତା’ପରେ ସିଜେରିଆନ୍‌ ଅପରେଶନ୍‌ କରି ପିଲା ଜନ୍ମ କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ପିଲାର ମୁଣ୍ଡରେ ପାଣି ଜମିଥିବା ଓ ମେରୁଦଣ୍ଡରେ ସମସ୍ୟା ଥିବାରୁ ବଞ୍ଚାଇବା କଷ୍ଟକର ହେବ ବୋଲି ଡାକ୍ତର କହିବାରୁ ସେମାନେ ସେଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବା ଭୟରେ ଉଭୟେ ପିଲାଟିକୁ ଛାଡ଼ିଦେଇ ପଳାଇଥିଲେ । ବୈଦ୍ୟନାଥପୁର ଥାନା ଓ ଚାଇଲ୍‌ଡ୍‌ ଲାଇନ୍‌ କର୍ମକର୍ତ୍ତାମାନେ ନବଜାତ ଶିଶୁ ପୁତ୍ରକୁ ଲାଟ୍ରିନ୍‌ ପାଖରୁ ଉଦ୍ଧାର କରି ପିଲାକୁ ବ୍ରହ୍ମପୁର ଏମ୍‌କେସିଜି ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଶିଶିର ଓ ସବିତାଙ୍କୁ ପୋଲିସ୍‌ ଜେରା କରିଛି। ଶିଶିର, ସବିତା ଓ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କହିଛି।