ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ତରଫରୁ ଗତ ଜାନୁଆରୀ ୧୬ ତାରିଖରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଗଂଜାମ-୨ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ଛତ୍ରପୁର ନିକଟ ତାମ୍ପରା ହ୍ରଦଠାରେ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଡ.ପ୍ରିୟାଂଶୁ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ପାଣି ପଞ୍ଚାୟତ ଗଠନର ମୂଳଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । କଥାରେ ଅଛି ଯଦି ଚାଷୀ ନାହିଁ ତେବେ ପୃଥିବୀରେ ବଞ୍ଚିବାର ନାହିଁ । ଚାଷୀ ଚାହିଁଲେ ସରକାରଙ୍କୁ ବଦଳାଇପାରିବ । ରାଜ୍ୟ ସରକାର ଚାଷୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି । ବିଗତ ଦିନରେ ଚାଷୀଙ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏକ ଐତିହାସିକ କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ରାଜ୍ୟର ସମସ୍ତ ବର୍ଗର ଚାଷୀମାନେ ଉପକୃତ ହୋଇପାରିବେ । ସେଥିପାଇଁ ସମସ୍ତ ବୁଦ୍ଧିଜୀବୀ, ଗବେଷକ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଆଦର୍ଶ ଏବଂ ନଂ- ୧ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି । ତେଣୁ ପାଣି ପଞ୍ଚାୟତ ଆଭିମୁଖ୍ୟ ହେଲା ଚାଷୀମାନଙ୍କୁ ବିଭିନ୍ନ ଫସଲରେ ଜଳ ଯୋଗାଇବା ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଚେତନ କରାଇବା । ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି, ୨୦ ନଂ ଜିଲ୍ଲା ପରିଷଦ ସଭ୍ୟା ଏ.ସୀତାମ୍ମା, ପୋଡ଼ାପଦର ସରପଞ୍ଚ ପୀତାମ୍ବର ପଣ୍ଡା, ଅଗସ୍ତିନୂଆଗାଁ ସମିତିସଭ୍ୟା ବାସନ୍ତୀ ଜାନି, ପାଣି ପଞ୍ଚାୟତର ରାଜ୍ୟ ସମ୍ପାଦକ ପ୍ରଫୁଲ କୁମାର ସାହୁ, ପ୍ରବକ୍ତା ମହେଶ୍ୱର ବରାଡ଼ ଓ ଆବା ପରିଡ଼ା ପ୍ରମୁଖ ଯୋଗ ଦେଇ ପାଣି ପଞ୍ଚାୟତର ଆଭିମୁଖ୍ୟ ଉପରେ ନିଜ ନିଜର ବକ୍ତବ୍ୟ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଦକ୍ଷିଣାଞ୍ଚଳ କ୍ଷୁଦ୍ର ଜଳସେଚନ ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକ, କନିଷ୍ଠ ଯନ୍ତ୍ରୀ ଶକ୍ତିକାନ୍ତ ଜେନାଙ୍କ ସମେତ ପାଣି ପଞ୍ଚାୟତର ସଭାପତି, ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସ୍କୁଲସ୍ତରରେ ନୂତନ ପଦ୍ଧତିର ଜଳସେଚନ କରିବା ଆବଶ୍ୟକତା ଉପରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବେଗୁନିଆପଡ଼ା ବ୍ଲକର ରାଗପୁର ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଆରାଧନା ଶତପଥୀ ପ୍ରଥମ, ଏସ.ଛଚିନା ରାଧାକୃଷ୍ଣ ଉଚ୍ଚବିଦ୍ୟାଳୟର (ଦଶମ) ଶ୍ରେଣୀ ଛାତ୍ରୀ ପ୍ରେମ୍ ସାଗର ରାଉତ ଦ୍ୱିତୀୟ, ଖଲିକୋଟ ବ୍ଲକର କନକମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟର (ଦଶମ) ଶ୍ରେଣୀ ଛାତ୍ରୀ ଉର୍ମିଳା ସାହୁ ତୃତୀୟ ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା