ଜଳିଲା ଶ୍ରୀକ୍ଷେତ୍ର ବନ୍ଦ ସମ୍ପୂର୍ଣ ସଫଳ ସନ୍ଧ୍ୟାରେ ଶାନ୍ତି କମିଟିର ନିଷ୍ପତ୍ତି: ଶ୍ରୀମନ୍ଦିର ୪ ଦ୍ୱାର ଦେଇ ଭିତରକୁ ପ୍ରବେଶ କରିପାରିବେ ସେବାୟତ ଓ ତାଙ୍କ ପରିବାର

ପୁରୀରେ ଲଙ୍କାକାଣ୍ଡ। ଜଳିଲା ବଡ଼ଦାଣ୍ଡ। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଏଭଳି ଅଘଟଣ ଘଟିଛି। ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହେବାରୁ ପରିସ୍ଥିତି ଅଣାୟତ ହୋଇଛି।

  • ୯ ଦଫା ଦାବି ନେଇ ଶ୍ରୀଜଗନ୍ନାଥ ସେନାର ପୁରୀ ବନ୍ଦ
  • ବନ୍ଦ ବେଳେ ଅଘଟଣ
  • ବିକ୍ଷୋଭକାରୀ-ପୋଲିସ ଖଣ୍ଡଯୁଦ୍ଧ
  • ମାର୍କେଟ ଛକ ଟ୍ରାଫିକ ପୋଷ୍ଟ ଭାଙ୍ଗିଲେ ବିକ୍ଷୋଭକାରୀ
  • ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ବ୍ୟାପକ ଭଙ୍ଗାରୁଜା
  • ପୋଲିସର ଲାଠିଚାର୍ଜ, ରବର ବୁଲେଟ ମାଡ଼
  • ସିଂହଦ୍ୱାରରେ ସ୍କାନର ଓ ମେଟାଲ ଡିଟେକ୍ଟର ଭାଙ୍ଗିଲେ
  • ଟେଣ୍ଟରେ ଲଗାଇଲେ ନିଆଁ

ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହାକୁ ବିରୋଧ କରିଥିଲା ଶ୍ରୀଜଗନ୍ନାଥ ସେନା। ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ଆଜି ପୁରୀ ବନ୍ଦ ଡାକରା ଦେଇଥିଲା।ଆନ୍ଦୋଳନକାରୀମାନେ ପୁରୀ ବଡ଼ଦାଣ୍ଡରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏବଂ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ବେଳେ ଘଟିଥିଲା ତୁମୁଳକାଣ୍ଡ। ଫଳରେ ପୋଲିସ- ବିକ୍ଷୋଭକାରୀ ହୋଇଥିଲେ ମୁହାଁମୁହିଁ।ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବଂ ପୁରୀ ଏସ୍‌ପିଙ୍କ ବାସଭବନକୁ ଆନ୍ଦୋଳନକାରୀମାନେ ଢେଲା ମାଡ଼ କରିଥିଲେ। ଏହାପରେ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଲାଠି ମାଡ଼ କରିଥିଲା। ବିକ୍ଷୋଭକାରୀମାନେ ମଧ୍ୟ ପୋଲିସ ଉପରକୁ ପାଲଟା ଆକ୍ରମଣ କରିଥିଲେ।ବିକ୍ଷୋଭକାରୀମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଭିତରେ ପସି ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାସହ ପ୍ରଶାସନ ଅଫିସରୁ ଲୁଟ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ମାର୍କେଟ ଛକରେ ପୋଲିସ ଟ୍ରାଫିକ ପୋଷ୍ଟ ମଧ୍ୟ ଭାଙ୍ଗି ଦେଇଛନ୍ତି।ସିଂହଦ୍ୱାରରେ ଲାଗିଥିବା ସ୍କାନର ମେସିନ, ମେଟାଲ ଡିଟେକ୍ଟର ମସେିନ ଭାଙ୍ଗିବା ସହ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜୋତା ଷ୍ଟାଣ୍ଡ ଭାଙ୍ଗି ଦେଇଛନ୍ତି ବିକ୍ଷୋଭକାରୀ। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଟେଣ୍ଟରେ ବି ନିଆଁ ଲଗାଇଥିଲେ ବିକ୍ଷୋଭକାରୀ। ଫଳରେ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ ଓ ରବର ବୁଲେଟ୍ ମାଡ଼ କରିଥିଲା। ପ୍ରାୟ ୬ ଘଣ୍ଟା ଧରି ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଥିଲା। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଗିରଫ କରିଥିଲା ପୋଲିସ।ଶେଷରେ ପୋଲିସ ପୁରୀ ଟାଉନ ଥାନା ନିକଟରୁ ସିଂହଦ୍ୱାର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛି। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟାଉନ ଥାନା ନିକଟରୁ ସିଂହଦ୍ୱାର ପର୍ଯ୍ୟନ୍ତ ପୋଲିସ ଫ୍ଲାଗମାର୍ଚ୍ଚ କରିଛି।“ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆମେ ମରିବାକୁ ପ୍ରସ୍ତୁତ ଅଛୁ। ଆମକୁ କାହିଁକି ଗିରଫ କରାଯାଇଛି ତାହା କେବଳ ପ୍ରଶସନ ହିଁ ଉତ୍ତର ଦେଇ ପାରିବ”, କହିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ।ଧାଡ଼ି ଦର୍ଶନ, ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା, ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଥିଲା।ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ପୁରୀ ହିଂସାକାଣ୍ଡର ଅନୁଧ୍ୟାନ କରିଛନ୍ତି। ମନ୍ଦିର ୪ ଦ୍ୱାର ଦେଇ ସେବାୟତ ଓ ତାଙ୍କ ପରିବାରର ସଦସ୍ୟମାନେ ଭିତରକୁ ପ୍ରବେଶ କରିପାରିବେ। ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ସେବାୟତଙ୍କ ପରିବାର ଲୋକେ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ୪ ଦ୍ୱାର ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିପାରିବେ। ସେହିଭଳି ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ୪ ଦ୍ୱାର ଦେଇ ଯାଇପାରିବେ। ଭୋଟର ଓ ଆଧାରକାର୍ଡ ଦେଖାଇ ସେମାନେ ଭିତରକୁ ପ୍ରବେଶ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ବେଳେ ଆଜି ପ୍ରବଳ ହିଂସା ଦେଖାଯାଇଥିଲା। ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀମାନେ ବଡ଼ଦାଣ୍ଡରେ ଲଙ୍କାକାଣ୍ଡ କରିଥିଲେ। ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେମାନେ ପୁଲିସ ଉପରକୁ ପଥରମାଡ କରିଥିଲେ। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୋକମାନେ ଲୁଟ ମଧ୍ୟ କରିଥିଲେ। ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣରେ ଆଣିବା ପାଇଁ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା। ପରିସ୍ଥିତି ଅଣାୟତ୍ତ ହେବା ପରେ ଆହୁରି ଅଧିକ ପୁଲିସ ମୁତୟନ କରାଯାଇଥିଲା। ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଡକାଯାଇଥିଲା। ଜିଲ୍ଲାପାଳ ଜ୍ୟୋତିପ୍ରକଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଏସ୍‌ପି ଆଶିଷ ସିଂହ, ବରିଷ୍ଠ ସେବାୟତ, କମିଟି ସଦସ୍ୟ ଆଦି ଉପସ୍ଥିତ ଥିଲେ।