ଜଳେଶ୍ୱର (ସମୃଦ୍ଧ ଓଡିଶା) ଅମ୍ଫାନ ବାତ୍ୟା ଜଳେଶ୍ୱରରେ ଅଂଚଳ ପାରି ହୋଇ ପଶ୍ଚିମବଙ୍ଗରେ ଲେଣ୍ଡଫଲ କରିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ପ୍ରଶାସନୀକ ସ୍ତରରେ ଏହାର କ୍ଷୟକ୍ଷତି ସଂପର୍କରେ ଆଜି ଗୁରୁବାର ପ୍ରାରମ୍ଭିକ ଆକଳନ ଆରମ୍ଭ ହୋଇଛି । ବ୍ଲକର ୩୫ ପଂଚାୟତର ୧୫୦ଟି ଗ୍ରାମର ପ୍ରାୟ ୫ହଜାର ଏକର ରବି ଧାନଚାଷ କ୍ଷତି ହୋଇଥିବା ବେଳେ ୪୮୩ ଟି ଘର ଉଣା ଅଧିକେ କ୍ଷତିଗ୍ରସ୍ତ ହୋଇଛି । ନେସ୍କୋର ୩୭୫ଟି ଖୁଣ୍ଟ ଓ ୭୫ଟି ଟ୍ରାନ୍ସଫରମର ଭାଂଗିବା ସହିତ ବହୁ ସ୍ଥାନରେ ବଡବଡ ଗଛମାନ ତାର ଉପରେ ପଡିଥିବ।ରୁ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଛି । କୃଷିବିଭାଗ ରିପୋର୍ଟ ଅନୁଯାୟୀ ୨୫ ଏକର ଜମିରେ ହୋଇଥିବା ଚିନାବାଦାମ, ୧୨୫ ଏକର ଜମିରେ ତିଳ ଓ ୧୦ହଜାର ଏକର ଜମିରେ ହୋଇଥିବା ପରିବାଚାଷ ସଂପୂର୍ଣ୍ଣ ଉଜୁଡି ଯାଇଛି । ଜଳେଶ୍ୱର ତହସିଲଦାରଙ୍କ ପ୍ରାଥମିକ ରିପୋର୍ଟ ଅନୁଯାୟୀ ୪୨୫ଟି ଗୃହ ଆଂଶିକ, ୩ଟି କଚ୍ଚା ଗୃହ ସଂପୂର୍ଣ୍ଣ, ୫୨ଟି କୁଡିଆ ଘର ଓ ୪୯ଟି ଗୁହାଳ ନଷ୍ଟ ହୋଇଥିବା ବେଳେ ୧୫ଟି ଗୋରୁ, ୨୪ଟି ବାଛୁରୀ ଆଂଶିକ ଆହତ ହୋଇଛନ୍ତି । ବ୍ଲକର ୬୯ଟି ଆଶ୍ରୟ ସ୍ଥଳୀରେ ୩୫୦୦ ଲୋକଙ୍କୁ ରଖାଯାଇ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଥିଲା । ସେହିପରି ୩୨ଟି ବିଦ୍ୟାଳୟ ଅଂଶିକ କ୍ଷତି ହୋଇଥିବା ବେଳେ ଶାଳିକୋଠା ସଦାଶିବ ବାଳିକା ଉଚ୍ଚ ବିଦ୍ୟାଳୟଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ନେସ୍କୋର ବିଦ୍ୟୁତ୍ ସରବରାହ ୪୮ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବନ୍ଦ ରହିଥିବାରୁ ପ୍ରାୟ ୩୫୦ ଅସ୍ଥାୟୀ କର୍ମଚାରୀଙ୍କ ସହାୟତାରେ ଯୁଦ୍ଧକାଳୀନଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ନିର୍ବାହୀ ଯନ୍ତ୍ରୀ କହିଛନ୍ତି । ଲୋକେ ପିଇବାପାଣି ସଂଗ୍ରହ ପାଇଁ ଗ୍ରାମାଂଚରେ ଥିବା କିଛି ନଳକୂପ ନିକଟରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଭୂପତି କୁମାର ପରିଡା