ଜଳେଶ୍ୱରରେ ଜାତୀୟ ପ୍ରେସ ଦିବସ ପାଳିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଜଳେଶ୍ୱର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଜଳେଶ୍ୱର ବ୍ଲକ ତଥା ସହରାଞ୍ଚଳର ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ଦ୍ୱାରା ପାଳନ କରାଯାଇଥିବା ଜାତୀୟ ପ୍ରେସ ଦିବସରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ରନାଥ ସେନାପତି ସଭାପତିତ୍ୱ କରିଥିଲେ । ମଞ୍ଚରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ମୁଖ୍ୟବକ୍ତା ଭାବେ ବିଡ଼ିଓ ନିତ୍ୟାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଆଇଆଇସି ପ୍ରଦୀପ କୁମାର ମଝି, ସାମାଜିକ କରମୀ ଅରୁଣ କୁମାର ବେଜ, ବୟୋଜ୍ୟେଷ୍ଠ ସାମ୍ବାଦିକ ଯେବନକୃଷ୍ଣ ଦାସ ଅଧିକାରୀ ଓ ଯୁବ ସାମ୍ବାଦିକ ଶ୍ରୀକୃଷ୍ନ ଗୁପ୍ତା ପ୍ରମୁଖ ମଞ୍ଚାସିନ ରହି ଜାତୀୟ ପ୍ରେସ ଦିବସର ପ୍ରାସଙ୍ଗିକତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଶେଷକରି ଅବହେଳିତ ନାଗଡା ଗ୍ରାମର ନଗ୍ନଦୃଶ୍ୟ, ଭଣ୍ଡବାବାଙ୍କ ଅସଲମୁଖ ଏବଂ ସମାଜରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦପଶା କରି ଲୋକଲୋଚନକୁ ଆଣୁଥିବା ଖବରକୁ ନେଇ ସାମ୍ବାଦିକଙ୍କୁ ବହୁରୀୟସୀ ପ୍ରଶଂସା କରିଥିଲେ ମଞ୍ଚାସିନ ଅତିଥିବୃନ୍ଦ । ଏପରିକି ଗଣମାଧ୍ୟମ ଜରିଆରେ ଗଣ୍ତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଭାରତର ଜନସାଧାରଣଙ୍କୁ ସୁପ୍ରିମ କୋର୍ଟର ଚାରି ଜଣ ବରିଷ୍ଠ ବିଚାରପତି ଅପିଲ କରିବା ଘଟଣାରେ ଗଣମାଧ୍ୟମ ହିଁ ଗଣତନ୍ତ୍ରରେ ଶ୍ରେଷ୍ଟସ୍ତମ୍ଭ ବୋଲି ପ୍ରମାଣିତ ହୋଇସାରିଛି । ତେଣୁ ଗଣମାଧ୍ୟମ ପ୍ରତିନିଧି ସମସ୍ତଙ୍କ ବନ୍ଦନୀୟ, ନମନୀୟ ଓ ଆଦରଣୀୟ । ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସାମ୍ବାଦିକତା କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁରକ୍ଷା ନିମନ୍ତେ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ସହିତ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରିବା ଉଚିତ ବୋଲି ପ୍ରକାଶ କରିଥିଲେ ଉପସ୍ଥିତ ବକ୍ତାମାନେ । ସଭା ପରିଶେଷରେ ସାମ୍ବାଦିକ ରଞ୍ଜନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅଜୟ ଚକ୍ରବର୍ତ୍ତୀ, ଶମ୍ଭୁନାଥ ଗୁପ୍ତା, ସତ୍ୟବ୍ରତ ସୋମ, ସୁଶାନ୍ତ ପ୍ରଧାନ, ଗୋପବନ୍ଧୁ ସାହୁ, ନିମାଇଁ ପାତ୍ର, ରାଧାଗୋବିନ୍ଦ ପ୍ରଧାନ, ଶମ୍ଭୁନାଥ ଦାସ, ସରପଞ୍ଚ ଯତୀନ୍ଦ୍ର ମହାନ୍ତି, ଦିଲୀପ ପରିଡା, ସତ୍ୟ ଶୋଭନ ମିଶ୍ର, ସମିତିସଭ୍ୟ ରାଜେନ୍ଦ୍ର ପାତ୍ର, ସଞ୍ଜୟ ମହାନ୍ତି, ଅନ୍ୟ ନିର୍ବାଚିତ ପ୍ରତିନିଧୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା