ଜଳେଶ୍ୱରରେ ବେଆଇନ ଭାବେ ଚାଲିଛି ଇଟାଭାଟି, ପରିବେଶ ଆଇନକୁ ଖୋଲାଖୋଲି ଉଲଙ୍ଘନ:ପ୍ରଶାସନ ନିରବଦ୍ରଷ୍ଟା,ବ୍ୟାପକ ରାଜସ୍ୱ ହାନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉତ୍ତର ଉପାନ୍ତ ଜଳେଶ୍ୱର ତହସିଲ ଅଂଚଳରେ ପ୍ରାୟ ୪୨ଟି ଇଟାଭାଟି ପରିବେଶ ଆଇନ୍କୁ ଖୋଲାଖୋଲି ଉଲଙ୍ଘନ କରି ଚାଲିଥିବା ବେଳେ ବ୍ୟାପକ ରାଜସ୍ୱହାନୀ ଘଟି ଆସୁଛି । ପ୍ରଶାସନର ଉଦାସୀନତା ଯୋଗୁଁ ଏପରି ଚାଲୁଥିଲାବେଳେ ଇଟାଭାଟି ମାଲିକଙ୍କ ରାଜ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଜଳେଶ୍ୱର ସହରକୁ ଲାଗି ଦୁର୍ଗା, କ୍ରାଉନ୍, ନାଇସ୍, ଶାନ୍ତି, ମୟୂର, ଦିପା, ମାତା, ମାମା, ଷ୍ଟିଲ, ଉମା, କାହ୍ନା, ରାୟାଲ, ଗୁଡୁ, ଏନ୍ଷ୍ଟିଲ, ପୂଜା, ଲକ୍ଷ୍ମୀ, ଶକ୍ତି, ସୀତା, ଦେବୀ, ରୂପା ଇତ୍ୟାଦି ପ୍ରାୟ ୨୫ଟି ଇଟାଭାଟି ରହିଥିବା ବେଳେ ସମଗ୍ର ବ୍ଲକ ଅଂଚଳରେ ୪୨ଟି ଇଟାଭାଟି ଥିବାର ଜଣାଯାଇଛି । ଏହିସବୁ ଇଟାଭାଟି ଖୁବ୍ କମ୍ ସଂଖ୍ୟକ ଇଟା କାଟୁଥିବାର ସରକାରଙ୍କୁ ଦର୍ଶାଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଇଟା ତିଆରି କରି ମାଲାମାଲ ହେଉଛନ୍ତି ଓ ବିଭିନ୍ନ ରାଜସ୍ୱ କ୍ଷତି ଘଟାଇ ଆସୁଛନ୍ତି । ଏମାନଙ୍କ ଭିତରୁ କେତେକ ଇଟାଭାଟିର ସ୍ଥାୟୀ ଚିମିନି ଥିବା ବେଳେ ଅନ୍ୟ କେତେକର ତାହା ନାହିଁ । ଫଳରେ ମାତ୍ର ୨୫ରୁ୩୦ଫୁଟ ଉଚ୍ଚରେ ଅସ୍ଥାୟୀ ଚିମିନି ଭାଟିର କଳା ଧୂଆଁ ଦିନରାତି ନିର୍ଗତ ହେଉଥିବାରୁ ବାୟୂମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ହେବା ସହିତ ବ୍ୟାପକ କୋଇଲାଗୁଣ୍ଡ ଆଖପାଖ ଅଂଚଳରେ ବିଛେଇ ହୋଇ ପଡୁଛି । ଫଳରେ ଆଖପାଖରେ ବସବାସ କରୁଥିବା ଅଂଚଳବାସୀ ବିଭିନ୍ନ ଛାତି ଓ ଶ୍ୱାସ ରୋଗର ଶୀକାର ହେଉଛନ୍ତି । ଛୋଟ ଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ବେଳେ ଧୂଆଁର ଶିକାର ହୋଇ ଅଣନିଶ୍ୱାସୀ ହେଉଥିବା ଦେଖାଯାଉଛି । ଏହିସବୁ ଇଟାଭାଟି ସୁବର୍ଣ୍ଣରେଖା ନଦୀକୂଳମାନଙ୍କରେ ଗଢି ଉଠୁଥିବାରୁ ସରକାରୀ ଓ ବେସରକାରୀ ସ୍ଥାନରୁ ଖଣି ଆଇନ୍ର ଉଲଙ୍ଘନ କରି ବେଆଇନ୍ ଭାବେ ମାଟି ଉତ୍ତୋଳନ କରୁଛନ୍ତି । ସରକାରଙ୍କୁ ଏବାବଦରେ ସ୍ୱଳ୍ପ ରାଜସ୍ୱ ଦେଉଥିବା ବେଳେ ଇଟାଭାଟି ମାଲିକମାନେ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ମାରିଆସୁଛନ୍ତି । ଇଟା ବିକ୍ରିବେଳେ ଜିଏସ୍ଟି ଓ ବିଭିନ୍ନ ଟିକସ ଫାଙ୍କୁଥିବା ଜଣାଯାଇଛି । ଚାଷ ଜମିର ବ୍ୟାପକ କ୍ଷତି ଘଟାଇବା ସହିତ ଝାଡଖଣ୍ଡ, ପଶ୍ଚିମବଂଗ, ବିହାର ଓ ଓଡିଶାର ପଡୋଶୀ ମୟୂରଭଂଜ ଜିଲାରୁ ଶ୍ରମିକ ଆଣି ଇଟା ଭାଟିରେ ନିୟୋଜିତ କରୁଛନ୍ତି । ଏ ସଂପର୍କରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିକଟରେ କୌଣସି ପଂଜିକରଣ କରୁନାହାନ୍ତି । ଏପରିକି ସ୍କୁଲ ଯିବାକୁ ଥିବା ନାବାଳକ ଓ ନାବାଳିକା ମାନଙ୍କୁ ବହୁସଂଖ୍ୟାରେ ସ୍ୱଳ୍ପ ପାରିଶ୍ରମିକ ଦେଇ ଖଟାଉଥିବା ଦେଖିବାକୁ ମିଳିଛି । ଏମାନଙ୍କ ମଧ୍ୟରୁ ବହୁ ଶ୍ରମିକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଦିନ କାଟୁଛନ୍ତି । ଏପରିକି ଏଠାରେ ଖୋଲାଖୋଲି ଭାବେ ଶିଶୁ ଶ୍ରମିକ ଆଇନ୍ର ଉଲଙ୍ଘନ ହେଉଥିଲେ ମଧ୍ୟ ଜିଲା ଶ୍ରମ ଅଧିକାରୀ ଏଥିପ୍ରତି ଆଖିବୁଜି ଦେଇଛନ୍ତି । ଏଥିଲାଗି ଜିଲା ଓ ସ୍ଥାନୀୟ ପ୍ରଶାସନ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ଚର୍ଚ୍ଚା ହେଉଛି । ଏ ସଂପର୍କରେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା ଏବଂ ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା କୌଣସି ମତାମତ ନ ଦେଇ ଏଡାଇ ଯାଇଥିବା ବେଳେ ଉପଜିଲାପାଳ ନିଲୁ ମହାପାତ୍ର ଏହା ତାଙ୍କ ପରିଧି ମଧ୍ୟରେ ନୁହେଁ ବୋଲି କହି ରୋକ ଠୋକ୍ ମନା କରିଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା