ଜଳେଶ୍ୱରରେ ବ୍ରାଉନ୍ ସୁଗରର ରାକେଟର ୪ଟି ଘର ଉପରେ ଚଢାଉ, ଧଳା ଜହର ସହ ୪ଲକ୍ଷ ଟଙ୍କା ଜବତ୍ ଜବତ୍କଲା ଏସ୍ଟିଏଫ ଟିମ୍ : ୧ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚିରାଚରିତ ପ୍ରଥାରେ ଜଳେଶ୍ୱରରୁ ବିଭିନ୍ନ ସ୍ଥାନକୁ ବ୍ରାଉନ୍ ସୁଗର ଚାଲାଣ ବେଳେ ଆଜି ପୂର୍ବାହ୍ନରେ ଏସ୍ଟିଏଫର ଏକ ଟିମ୍ ଡିଏସ୍ପି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଜଳେଶ୍ୱରର ଏକ ସମ୍ବେଦନଶୀଳ ସ୍ଥାନରେ ଚଢାଉ କରିଥିଲେ । ଆନ୍ତରାଜ୍ୟ ବ୍ରାଉନ୍ ସୁଗର କାରବାରର ୪ଜଣ ସଦସ୍ୟଙ୍କ ଘରେ ଆଜି ଚଢାଉ କରାଯାଇଥିଲା । ବିପୁଳ ଅର୍ଥ ଓ ବହୁ ଓଜନର ଧଳା ପାଉଡର ଜବତ୍କରିଥିଲା ବେଳେ ଅଭିଯୁକ୍ତ ୪ଜଣଙ୍କ ମଧ୍ୟରୁ ଜଣକର ପୁଅକୁ ଗିରଫ କରିବାରେ ସକ୍ଷମ ହୋଇଛି । ଜଳେଶ୍ୱର ରବ୍ରାଉନ୍ ସୁଗର ମାଫିଆ ସେକ୍ ରାଜା ଧରା ପଡିବା ପରେ ବାଲେଶ୍ୱର ଓ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଆଡ୍ଡା ସଂପର୍କରେ ବହୁତଥ୍ୟ ମିଳିଛି । ଏହି ତଥ୍ୟକୁ ଆଧାର କରି ଆଜି ବାଲେଶ୍ୱରରେ ଅବସ୍ଥିତ କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଡିଏସ୍ପି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ଜଳେଶ୍ୱରରେ ପହଞ୍ଚିଥିଲା । ଜଳେଶ୍ୱର ରାଜପୁରସ୍ଥିତ ନାସିରୁଦ୍ଦିନର ଘରେ ଚଢାଉ କରାଯାଇଥିଲା । ଏସ୍ଟିଏଫ ଟିମ୍ ସହିତ ଜଳେଶ୍ୱର ପୋଲିସ୍ ଆଜି ଧଳା ଜହର ର‌୍ୟାକେଟ ର ଅନ୍ୟତମ ମୁଖ୍ୟ କୁହାଯାଉଥି ଫବା ତୈରୁଦ୍ଦିନ, ନାସିରୁଦ୍ଦିନ, କାଲା ଓ ସପୁ ଘରେ ଚଢାଉ କରାଯାଇଥିଲା । ନାସିରୁଦ୍ଦିନର ଘରୁ ଚଢାଉ ସମୟରେ ନଗଦ ୩ଲକ୍ଷ ୮୯ହଜାର ୪୦୦ଟଙ୍କା ମିଳିଥିବା ଡିସ୍ଏସପି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ନାସିରୁଦ୍ଦିନର ବିଳାସପୂର୍ଣ୍ଣ ଘର ଓ ମୂଲ୍ୟବାନ ଆସବାପତ୍ର ଦେଖି ପୋଲିସ ଅଫିସରମାନେ ତଟସ୍ଥ ହୋଇଥିଲେ । ଏପରିକି ତାର ଘରେ ଲାଗିଥିବା ସିସି କେମେରାର ଡିଭିଆର୍ରୁ ବହୁ ତଥ୍ୟ ସଂଗ୍ରହ କରିଛନ୍ତି । ତାଙ୍କ ଘରେ ଥିବା ବହୁ ପରିମାଣର ଧଳା ପାଉଡର ମଧ୍ୟ ଜବତ୍ କରାଯାଇଥିବା ଶ୍ରୀ ରାଉତ ପ୍ରକାଶ କରିଥିଲେ । ଏହି ଘଟଣାରେ ସ୍ଥାନିୟ ଜନସାଧାରଣ ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ପୋଲିସକୁ ସହାୟତା କରିଥିଲେ । ଏ ସଂପର୍କରେ ଜଣେ ବରିଷ୍ଠ ପୋଲିସକୁ ପଚାରିବାରୁ ନିଜ ନାମ ପ୍ରକାଶ କରି ସେ କହିଲେ ଏବେ ଧଳ ଜହର ଜବତ୍ କାର୍ଯ୍ୟକ୍ରମର ଟ୍ରେଲର ଚାଲିଛି । କିଛିଦିନ ମଧ୍ୟରେ ଏହାର ସମସ୍ତ ତଥ୍ୟ ସହିତ କିଙ୍ଗ୍ପିନ୍ ଓ କିଙ୍ଗୁକ୍ୟୁଇନର ପର୍ଦ୍ଦା ହଟିବ ବୋଲି କହିଥିଲେ । ଏହି ଘଟଣା ପରେ ଜଳେଶ୍ୱର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା