ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସୋମବାର ଜଳେଶ୍ୱର ବ୍ଲକ ସ୍ତରୀୟ ଏକ ସଚେତନତା ବୈଠକ ଜିକେ ଭଟ୍ଟର ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ ଡା. ଦିଲ୍ଲିପ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ । ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବିଡିଓ ଦିପ୍ତିରଂଜନ ସେଠୀ, ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ଏଥିରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସଚେତନତା, ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ । ଆପାତତଃ ସନ୍ଦେହଯୁକ୍ତ ରୋଗୀଙ୍କୁ ସତର୍କ ଦୃଷ୍ଟିରେ ରଖିବା ପାଇଁ ହସ୍ପିଟାଲ ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତିତ ଭାରତ ବାହାରୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ୨୯ଦିନ ପର୍ଯ୍ୟନ୍ତ ତିକ୍ଷ୍ଣ ନଜରରେ ରଖିବା, ଥଣ୍ଡା, ସର୍ଦ୍ଦି, ଜ୍ୱର ଲକ୍ଷଣ ଦେଖାଗଲେ ସେମାନଙ୍କୁ ଡାକ୍ତରଖାନା ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରିବା, ସନ୍ଦେହ ହେଲେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସଂପର୍କରେ ବିଶେଷ ଆଲୋଚନା ହୋଇଥିବା ଜଣାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହସ୍ପିଟାଲରେ ରହି ମାସ୍କ ଓ ହାତଧୁଆ ସାବୁନ ହେବାର ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଭଟ୍ଟର ହସ୍ପିଟାଲରେ ଆଜି ଚିକିତ୍ସିତ ରୋଗୀମାନଙ୍କୁ ଦିଆଯାଉନଥିବା ସଂର୍ପକରେ ଅଭିଯୋଗ ହୋଇଛି । ରୋଗୀମାନଙ୍କ ମଧ୍ୟରେ ଝାଡେଶ୍ୱରପୁରର ସେକ୍ ସାହିଲ, ସୁଗୋର ଶାନ୍ତିଲତା ରାଉଳ, ଝାଡେଶ୍ୱର ମାଝୀ ସୁଧିର ଜେନା ଓ କାଞ୍ଚନ ଜେନା ଧାନସିମୁଳିଆର ଆରତୀ ଜେନା, ପଥରପୁରାର ଅନ୍ସର ଅଲ୍ଲି, ଚକବିଷ୍ଣୁ ବ୍ୟମକେଶ ଗିରି, ଦହମୁଣ୍ଡାର ଭାଗିରଥ ଦାସ ପ୍ରମୁଖ ଚିକିତ୍ସତ ହେଉଥିଲେ ମଧ୍ୟ କାହାକୁ ମାକ୍ସ ଓ ହାତଧୁଆ ସାବୁନ ଦିଆଯାଇନଥିବା ଅଭିଯୋଗ କରିଥିଲେ । ସେଠାରେ କାର୍ଯ୍ୟରତ ସମସ୍ତ ସ୍ୱାସ୍ଥ୍ୟକର୍ମଚାରୀ ମାନଙ୍କୁ ମାସ୍କ ଓ ହାତଧୁଆ ସାବୁନ ଯୋଗାଇ ଦିଆଯାଇନଥିବା ସଂପର୍କରେ ଅଭିଯୋଗ ହୋଇଛି । ଆଜି ଜଳେଶ୍ୱରରେ ୩୭୫ଜଣ ବିଭିନ୍ନ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ପ୍ରକାଶ । ସେହିପରି ହାତୀଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୩୨୫ଜଣ ରୋଗୀ ଚିକିତ୍ସତ ହୋଇଥିବା ଓ ୮ଜଣ ଶର୍ଯ୍ୟାରେ ଥିଲେ ମଧ୍ୟ ସେମାନଙ୍କୁ ମାସ୍କ ଓ ହାତଧୁଆ ସାବୁନ ଯୋଗାଇ ଦିଆଯାଇନଥିବା ସଂପର୍କରେ ଅଭିଯୋଗ ହୋଇଛି । ସେହିପରି ନାମ୍ପୋ, ଛମୌଜ, ପଶ୍ଚିମବାର୍ଡ, ଜମାଳପୁର, ଶିଖରପୁର, ଲକ୍ଷ୍ମଣନାଥ ରୋଡ, ଶାଳବଣି, ଖୁଆଡ, ଓଲମରା, ବଡବଜାର ଡିସ୍ପେନ୍ସରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ବିଶେଷ ତତ୍ପରତା ଓ ସୁରକ୍ଷାର ବ୍ୟବସ୍ଥା ନ ଥିବା ରୋଗୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବିଡିଓ ଦୀପ୍ତିରଂଜନ ସେଠୀ ଓ ବହୁ ନିର୍ବାଚିତ ପ୍ରତିନିଧିଙ୍କ ଗହଣରେ କରନା ସଂପର୍କରେ ଆଲୋଚନା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଆସନ୍ତା ଶୁକ୍ରବାର ବ୍ଲକ ପରିସରରେ ସମସ୍ତ ନିର୍ବାଚିତ ପ୍ରତିନିଧି, ସରକାରୀ କର୍ମଚାରୀ ଓ ଗ୍ରାମ୍ୟ ମୁଖ୍ୟଙ୍କୁ ନେଇ ଏକ ସଚେତନା କାର୍ଯ୍ୟକ୍ରମ ହେବାର ସ୍ଥିର ହୋଇଛି । ପରେ ସେମାନେ ଗ୍ରାମାଞ୍ଚଳରେ ସଚେତନତା କରିବେ ବୋଲି ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା