ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତଦାନ, ଜୀବନଦାନ ବାର୍ତ୍ତାକୁ ସମଗ୍ର ଦେଶରେ ପ୍ରଚାର କରିବା ଉଦ୍ଦେଶ୍ୟରେ ଗତ ୨୦୧୮ ମସିହା ଅକ୍ଟୋବର ମାସ ୫ ତାରିଖରେ କୋଲକତାର ବାରାସାତଠାରୁ ସାଇକେଲରେ ବାହାରିଥିବା ୪୯ ବର୍ଷ ବୟସ୍କ ରକ୍ତର ମାନବ ଜୟଦେବ ରାଉତ ଭାରତର ୧୨ଟି ରାଜ୍ୟ ବୁଲିବା ପରେ ଜଳେଶ୍ୱରରେ ପହଞ୍ଚିବାକ୍ଷଣି ତାଙ୍କୁ ଜ୍ଞାନ ବିକାଶ ପରିସରରେ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଶାସନୀକ ଅଧିକାରୀ ଅନୁପ କୁମାର ପଣ୍ଡାଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଜିଲା ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତୀ, ଉପସଭାପତି ସୁକୁମାର ରଣା, ସାଧାରଣ ସଂପାଦକ ହୃଷିକେଶ ସାହୁ, ଜଳେଶ୍ୱର ଲାୟନ୍ସ କ୍ଲକର ସଭାପତି କପିଳେଶ୍ୱର ମହାନ୍ତି, ସୀମାନ୍ତ ମହୋତ୍ସବ କମିଟିର ଉପସଭାପତି ଅଶୋକ ଦାସ, ଜଳେଶ୍ୱର ବିକାଶ ମଂଚର ସଭାପତି ସୁଦର୍ଶନ ଦାସ, ଅନୁଷ୍ଠାନର ଅଧ୍ୟକ୍ଷ ଲେଲିନ୍ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଶ୍ରୀ ରାଉତ ସୁଦୀର୍ଘ ୭୨୦୦ କିମି. ରାସ୍ତା ସାଇକେଲରେ ପରିଭ୍ରମଣ କରି ଯୁବସମାଜ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନର ବାର୍ତ୍ତା ନେଇ ଯେପରି ପହଞ୍ଚିଛନ୍ତି ତାହାର ଭୂୟସୀ ପ୍ରଶଂସା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ରାଉତ ରକ୍ତବିନା ଯେପରି କୌଣସି ମଣିଷ ମୃତ୍ୟୁବରଣ ନ କରେ ସେଥିପାଇଁ ଯୁବଗୋଷ୍ଠୀକୁ ସଚେତନ କରିବା ତାଙ୍କର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟବୋଲି କହିଥିଲେ । ଶେଷରେ ଏଟିଓ ଜୟନ୍ତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଅନୁରୂପଭାବେ ଏକ ସମ୍ବର୍ଦ୍ଧନା ସଭା ଦୀଗମ୍ବରୀଦେବୀ ଆଇଟିଆଇ ଓ +୨ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ କମଳ ଚକ୍ରବର୍ତ୍ତୀ, ସୁକୁମାର ରଣା, ହୃଷିକେଶ ସାହୁ, କପିଳେଶ୍ୱର ମହାନ୍ତି, ସୁଦର୍ଶନ ଦାସ, ପାଲାଗାୟକ ଚନ୍ଦମୋହନ ରାଉଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ରାଉତଙ୍କୁ ଉତ୍ତାରୀୟ ଓ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ କ୍ଲବ ପକ୍ଷରୁ ସଭାପତି ନନ୍ଦନ କୁମାର ଦତ୍ତ ଓ ପୂର୍ବତନ ସଭାପତି ସୁବ୍ରତ କୁମାର ରଣା ପ୍ରମୁଖ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା