ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହର ଓ ଆଖାପାଖ ଅଂଚଳରେ ମହାପୁରୁଷ ହଜରତ ମହମ୍ମଦଙ୍କ ଜନ୍ମବାର୍ଷିକୀ ଆଜି ଧୁମ୍ଧାମରେ ପାଳିତ ହୋଇ ଯାଇଅଛି । ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀ ତଥା ଆବାଳ ବୃଦ୍ଧବନୀତାଭାବେ ଭୋର ୫ଟା ସମୟରେ ମସ୍ଜିଦ୍ରେ ନମାଜପାଠ କରିଥିଲେ । ପୂର୍ବାହ୍ନ ୧୦ଟା ସମୟରେ ଏକ ବିରାଟ ମଟାସାଇକେଲ ଶୋଭାଯାତ୍ରା ଶାସନବାର୍ଡ ପଂଚୁଘଣ୍ଟା, ପଥରପୁରା, ସେକ୍ବାର୍ଡ, ଝାଡେଶ୍ୱରପୁର ଓ ରାଜପୁର ଗ୍ରାମ ପରିକ୍ରମା କରିବା ସଂଗେ ସଂଗେ ମହମ୍ମଦନଗରପାଟଣସ୍ଥିତ ହଜରତ୍ କୁତୁବ୍ଶାହା ପୀର ବାବା, ସେକ୍ବାର୍ଡସ୍ଥିତ ହାରୁନ୍ସାହା ପୀରବାବା, ଶାସନବାର୍ଡସ୍ଥିତ ହାଜିଅଲ୍ଲି ପୀର ବାବା ଏବଂ ପଂଚୁଘଣ୍ଟାସ୍ଥିତ ହଜରତ କରାମତ୍ ଅଲ୍ଲି ସାହା ପୀର ବାବାଙ୍କ ଆସ୍ଥାନକୁ ଯାଇ ପ୍ରାର୍ଥନା କରିଥିଲେ । ବିଭିନ୍ନ ମୁଲସିମ୍ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଜିକେଭଟ୍ଟର ହସ୍ପିଟାଲରେ ଫଳବଣ୍ଟନ କରାଯାଇଥିଲା । ସଂଧ୍ୟାରେ ଏକ ବିରାଟ ଶୋଭାଯାତ୍ରା ରାଜପୁର ଛକଠାରୁ ବାହାରି ଝାଡେଶ୍ୱରପୁର, ଷ୍ଟେସନବଜାର, ହାଟଛକ ପରିକ୍ରମା କରିବାପରେ ପଂଚୁଘଣ୍ଟାସ୍ଥିତ ପୀରବାବା ଆସ୍ଥାନରେ ପହଞ୍ଚିଥିଲେ । ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ପ୍ରଦୀପ କୁମାର ମାଝୀ, ଏଏସ୍ଆଇ ସତ୍ୟନାରାୟଣ ବଳଙ୍କ ସମେତ ବହୁ ପୋଲିସ୍ ଶାନ୍ତିଶୃଙ୍ଖଳା ରଖିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା