ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟର ଉତ୍ତର ଉପାନ୍ତ ଅଂଚଳରେ ବ୍ୟାପକ କୋଭିଡ୍ ସଂକ୍ରମଣ ସହିତ ମୃତ୍ୟୁହାର ବଢୁଥିବାରୁ ତଥା ବାଲେଶ୍ୱରକୁ ରୋଗୀ ପରିବହନ ସମୟ ସାପେକ୍ଷ ହେଉଥିବାରୁ ଜଳେଶ୍ୱର ଠାରେ ଏକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠାଲାଗି ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି । ଏ ସମ୍ପର୍କରେ ମେ ମାସ ୧୩ ଓ ୨୦ ତାରିଖରେ ବାଲେଶ୍ୱର ଜିଲାପାଳଙ୍କୁ ସିପିଆଇ(ଏମ୍) ପକ୍ଷରୁ ଦାବିପତ୍ର ଦିଆଯାଇଥିଲା । ଜଳେଶ୍ୱରକୁ କେନ୍ଦ୍ର କରି ୬୦ କି.ମି ପରିଧି ମଧ୍ୟରେ ଭୋଗରାଇ, ରାଇବଣିଆ, ବସ୍ତା ଓ ବାଲିଆପାଳ ରହୁଛି । ଉପାନ୍ତ ଅଂଚଳରୁ ଜଳେଶ୍ୱରକୁ ଯିବା ପାଇଁ ୧୦୦ କି.ମିରୁ ଅଧିକ ରାସ୍ତା ହେଉଥିବାରୁ ଯାତାୟାତରେ ବିଳମ୍ବ ଘଟୁଛି । କରୋନାର ୨ୟ ଲହର ଚାଲିଥିବା ବେଳେ ୩ୟ ଲହର ଆସିବା ସମ୍ପର୍କରେ ବିଶେଷଜ୍ଞ ଓ ଡାକ୍ତରମାନେ ସତର୍କ କରୁଛନ୍ତି । ଜଳେଶ୍ୱର ଠାରେ କୋଭିଡ୍ ହସ୍ପିଟାଲ ଅତି ଜରୁରୀ ଥିବା ବେଳେ ଜିଲାପାଳ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବାରୁ ଆସନ୍ତା ଜୁନ ୧୭ରୁ ଜଳେଶ୍ବର ତହସିଲ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ଆଜି ସିପିଆଇ(ଏମ୍) ପକ୍ଷରୁ ସୂଚନା ଦିଆଯାଇଛି । ସିପିଆଇ(ଏମ୍) ଦଳର ଏକ ଜରୁରୀ ବୈଠକ ଆଜି ଦିଲ୍ଲିପ କୁମାର ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଶିଶିର ହୁଇ, ସିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ଦିଲ୍ଲିପ ପରିଡା, ପଲ୍ଟୁ ଦାସ, ରବିନ୍ଦ୍ର ବାରିକ, ରତନ ଦାସ ଓ ଜୀବନ ପରିଡା ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।