ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀକୂଳ ଜଳେଶ୍ୱର ବ୍ଲକର ମାକିଡିଆ, ଓଲମରା, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ବାଇଗଣବାଡିଆ, ଝାଡପିମ୍ପଳ, ପଶ୍ଚିମବାର୍ଡ, ମହମ୍ମଦନଗରପାଟଣା, ରାଜପୁର ଓ ରାୟାଁରାମଚନ୍ଦ୍ରପୁର ଭଳି କେତେକ ଗାଁରେ ଦେଶୀ ଆଖୁ ଚାଷ ହୋଇ ଆସୁଥିଲେ ମଧ୍ୟ ପ୍ରତ୍ସୋହନ ଅଭାବରୁ ଏବେ ସେପରି ଅର୍ଥକାରୀ ଫସଲ କମିକମି ଆସିଲାଣି । ଦେଶୀ ଆଖୁ ଚାଷ ଯୋଗୁଁ ଚାଷୀମାନେ ଅଧିକ ଲାଭପ୍ରଦ ହୋଇପାରୁନଥିବାରୁ ଏବଂ ବିଭିନ୍ନ ସମୟରେ ହାତୀ ଏ ସବୁକୁ ନଷ୍ଟଭ୍ରଷ୍ଟ କରୁଥିବାରୁ ଚାଷୀମାନେ ଆଖୁଛାଡି ଅନ୍ୟଚାଷ କରିବାରେ ବ୍ୟସ୍ତ । କିନ୍ତୁ ଚଳିତବର୍ଷ ମାକିଡିଆ, କୁଆଁରପୁର ଓ ଗୋପାଳ ପ୍ରସାଦ ଗାଁର ଚାଷୀମାନେ ଏକତ୍ରିତ ହୋଇ ଆଖୁଚାଷ ପାଇଁ କୃଷି ବିଭାଗର ସହଯୋଗ ଲୋଡିଛନ୍ତି । କେବଳ କୁଅଁରପୁର ଗାଁରୁ ୬୨ଜଣ ବେକାର ଯୁବକ ଜଳେଶ୍ୱର, ରାଇବଣିଆ, ବାଲେଶ୍ୱର, ବସ୍ତାର ଗାନ୍ଧିଛକ, ଭୋଗରାଇର କମର୍ଦ୍ଦା, ଚନ୍ଦନେଶ୍ୱର, ଦୀଘା, ପଶ୍ଚିମବଂଗର ଦାନ୍ତୁନ ଓ ବେଲଦା, ମୟୂରଭଂଜର ବାରିପଦାଭଳି ସ୍ଥାନରେ ଆଖୁରସ ବିକ୍ରି କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । କେବଳ ଶୀତ ଦିନକୁ ବାଦ୍ ଦେଲେ ଅନ୍ୟ ଦିନରେ ଏମାନେ ଆଖୁ ଅନ୍ୟ ଦୂର ସ୍ଥାନରୁ କିଣିବାକୁ ବାଧ୍ୟ ହୋଇଥାନ୍ତି । ତେଣୁ ମାକିଡିଆ ପଂଚାୟତର ଉପରୋକ୍ତ ୩ଟି ଗାଁରେ ଚଳିତବର୍ଷ ୨୦୦ ଏକର ଜମିରେ ଚାଷ ହେବାଲାଗି କୃଷି ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛି ବୋଲି ଆଜି କୃଷି ସମ୍ପ୍ରସାରଣ ଅଧିକାରୀ ଶରତ କୁମାର ସେଠୀ ସୂଚନା ଦେଇଛନ୍ତି । ମାକିଡିଆ ଆଖୁରେ ୧୮ରୁ୨୦ପ୍ରତିଶତ ସର୍କରା (ଚିନି) ରହିଥିବାରୁ ଏହା ଖାଇବାକୁ ଖୁବ୍ ସୁଆଦିଆ । ତଥାପି ଚଳିତବର୍ଷ ତାମିଲନାଡୁର କଏମାଟୁରରୁ ୮୦୨୧ ପ୍ରଜାତିର ଆଖୁ ବିହନ ଆଣି ମାକିଡିଆ ଅଂଚଳର ଚାଷୀଙ୍କୁ ଚାଷପାଇଁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଛି । ଆଖୁଚାଷରୁ ପ୍ରତିଥର ୩୦ହଜାର ଟଙ୍କାର ଲାଭ ମିଳିପାରିବା ସଂପର୍କରେ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପକ୍ଷରେ ବାଙ୍କି, ନୟାଗଡ ଓ ଭଦ୍ରକ ଅଂଚଳରୁ ଏପରି ପ୍ରଜାତିର ଆଖୁ ବିହନ ଆଣି ଚାଷ କରାଯିବା ସଂପର୍କରେ ସେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ କୁଅଁରପୁରରେ ଏକ କୃଷିପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା