ଜଳେଶ୍ୱରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଭାରତୀୟ ଜାତୀୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜନସାଧାରଣକୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଗଣତନ୍ତ୍ର ରାଷ୍ଟ୍ରର ଯେ କୌଣସି ସରକାରଙ୍କର ନୈତିକ କର୍ତ୍ତବ୍ୟ ଓ ଏହା ବ୍ୟାହତ ହେଲେ ଭବିଷ୍ୟତରେ ଜାତୀୟ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପଛାଇବ ନାହିଁ ବୋଲି ଆଜି ଅପରାହ୍ନରେ ଜଳେଶ୍ୱର ପୁର୍ତ୍ତବିଭାଗ ଡାକବଂଗଳାଠାରେ ଏକ ସାମ୍ବିଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ମୁଖପାତ୍ର ସୁଦର୍ଶନ ଜେନା ପ୍ରକାଶ କରିଛନ୍ତି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅନ୍ୟ ଗୋଟିଏ ରେଫେରାଲ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ସେହିପରି ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଜଣ ଡାକ୍ତରଙ୍କ ମଧ୍ୟ ମାତ୍ର ୨ଜଣ ଥିବା ବେଳେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲରେ ୭ଜଣ ଡାକ୍ତର ରହିବାର ବ୍ୟବସ୍ଥା ଥିବା ବେଳେ ଏବେ ମାତ୍ର ୩ଜଣ ଡାକ୍ତର ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ନଥିବା ବେଳେ ସ୍ୱାସ୍ଥ୍ୟ ସେବା ପାଇଁ ଲୋକମାନଙ୍କୁ ୮୦କି.ମି. ଦୂରରେ ଥିବା ଜିଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଶିଖରପୁର, ଲକ୍ଷ୍ମଣନାଥ, ନାମ୍ପୋ, ଖୁଆଡ, ପଶ୍ଚିମବାର୍ଡ, ଜମାଳପୁର, ଗୋପିମୋହନପୁର, ଓଲମରା, ଶାଳବଣୀ, ଜଳେଶ୍ୱର, ଭେଲୋରା ଓ ସିଂଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନଥିବା ବିଧାୟକଙ୍କ ଅପରଗତା ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଯଥାଶୀଘ୍ର ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ଆବଶ୍ୟକତା ଥିବା ଡାକ୍ତର ପୂରଣ ନ ହେଲେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ଅଧିକାର ପାଇଁ ଜାତୀୟ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଆଜିର ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଫରିଦ ଅହମ୍ମଦ, ଗିରିଜା ଶଂକର ଦାସ, ଜଗଦୀଶ ନନ୍ଦୀ, ରାଜିବ ପରିଡା, ପଦ୍ମଲୋଚନ ଦାସ ଓ ବିଜୟ ପ୍ରଧାନ ପ୍ରମୁଖ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା