ଜଳେଶ୍ୱରର ସ୍ୱାସ୍ଥ୍ୟ ସେବାକୁ ନେଇ ବିଧାୟକଙ୍କ ବିବୃତି ଅସତ୍ୟ ଓ ବିଭ୍ରାନ୍ତିକର : କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ସ୍ୱାସ୍ଥ୍ୟସେବାକୁ ନେଇ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ରୋଗୀ କଲ୍ୟାଣ ସମିତିର ସଦସ୍ୟ ଅଶୋକ ପାତ୍ର ଯେଉଁ ବିବୃତି ଦେଇଛନ୍ତି ତାହା ଅସତ୍ୟ ଓ ବିଭ୍ରାନ୍ତିକର ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି । ଗତକାଲି ଏକ ଖବର କାଗଜରେ ଉଭୟ ବିଧାୟକ ଅଶ୍ୱିନୀ ପାତ୍ର ଓ ଅଶୋକ ପାତ୍ର ଜି.କେ.ଭଟ୍ଟର ହସ୍ପିଟାଲରେ ୫ କୋଟି ଟଙ୍କାର ନିର୍ମିତ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ସାରିଛି ବୋଲି ଦାବୀ କରିଛନ୍ତି ବୋଲି ପ୍ରକାଶ ପାଇଥିଲା l ଏହା କେବଳ ମିଛ ନୁହଁ ଜଳେଶ୍ୱରର ଦୟନୀୟ ସ୍ୱାସ୍ଥ୍ୟସେବା ପ୍ରତି ଉପହାସ ମଧ୍ୟ । ଭୁତ କୋଠି ହୋଇ ପଡି ରହିଥିବା ଓ ସେଥିରେ ଲାଗିଥିବା ଯନ୍ତ୍ରପାତିରେ କଳଙ୍କି ଓ ଅଳନ୍ଧୁ ଲାଗି ରହିଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ବୋଲି କହିବା ଦୁର୍ଭାଗ୍ୟ ଜନକ ଓ ପ୍ରତାରଣା ପୂର୍ଣ୍ଣ ବୋଲି ଶ୍ରୀ ଦାସ କହିଛନ୍ତି । ସେମାନେ ପୁଣି କହିଛନ୍ତି ଯେ, ଏଠାରେ ଦୁଇ ଜଣ ଡାକ୍ତର ନିଯୁକ୍ତ ହୋଇ ସେବା ଯୋଗାଉଛନ୍ତି ଏବଂ ଏଠାରେ ନୂତନ କରି ୧୦ ଜଣ ଡାକ୍ତର ନିଯୁକ୍ତ ହୋଇଛନ୍ତି । ଏହା ମଧ୍ୟ ମିଥ୍ୟା ଓ ବିଭ୍ରାନ୍ତିକର । ବାସ୍ତବରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ କୌଣସି ଡାକ୍ତର ନିଯୁକ୍ତ ହୋଇ ନାହାନ୍ତି କିମ୍ବା ନୂଆ କରି ଏଠାରେ କୌଣସି ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇନାହିଁ । ନୂତନ କରି ଯେଉଁ ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି ସେମାନେ ଜଳେଶ୍ୱର ବ୍ଲକ ପାଇଁ ଏବଂ ସେମାନଙ୍କ ଭିତରୁ ୩ ଜଣଙ୍କୁ ଛାଡି ଦେଲେ ଅନ୍ୟମାନେ ପିଏଚସି ବା ସିଏଚସି ଗୁଡିକରେ ଯୋଗ ଦେଇ ନାହାନ୍ତି । ଜଳେଶ୍ୱରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଧାୟକ ଯେଉଁ ପଦକ୍ଷେପ ନେବା କଥା, ସେଥିରେ ତାଙ୍କର ଚରମ ଅବହେଳା ଓ ଦୁର୍ବଳତା ବିଷୟରେ ଜଳେଶ୍ୱରବାସୀ ବେଶ ଭଲ ଭାବରେ ଅନୁଭବ କରିଛନ୍ତି । ନିଜର ଅପାରଗତା ଓ ଦୁର୍ବଳତାକୁ ଲୁଚାଇ ବାକୁ ଯାଇ ବିଧାୟକଙ୍କ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ବିବୃତି ଦୁର୍ଭାଗ୍ୟ ଜନକ ଓ ନିନ୍ଦନୀୟ ବୋଲି ଶ୍ରୀ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା