ଜଳେଶ୍ୱର-ଅଗ୍ରୱାଲା ରାସ୍ତା କାର୍ଯ୍ୟ ଅଧାପନ୍ଥରିଆ : ନାହାନ୍ତି ଠିକାଦାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥ ନିର୍ମାଣ ହେବା ପରେ ବାଲେଶ୍ୱର ଜିଲାର ଜଳେଶ୍ୱରସ୍ଥିତ ପୁରୁଣା ଓଟି ରୋଡର ଜଳେଶ୍ୱର-ଅଗ୍ରୱାଲା ଛକ ରାସ୍ତାର ନବିକରଣ ଓ ପ୍ରସସ୍ତି କରଣ ଲାଗି ଗତ ୨୦୧୯ ମସିହା ଅଗଷ୍ଟ ମାସରେ ଜନୈକ ଠିକାଦାର ଚୁକ୍ତି ସ୍ୱାକ୍ଷର କରିଥିଲେ । ୪କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଦାବଧି କାମ ସରିବା ନାମ ଧରୁ ନାହିଁ । ଏହି ରାସ୍ତାର (୮.୫ -୧୦.୫ ) ୨ କି.ମି ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ପୁର୍ତ୍ତବିଭାଗ ଓ ପାଇପ୍ ପାଣି ଯୋଗାଣ ବିଭାଗ ମଧରେ ସମନ୍ନୟ ଅଭାବ ଯୋଗୁଁ କାର୍ଯ୍ୟ ଶେଷ ହୋଇନଥିବା କୁହାଯାଇଛି । ରାସ୍ତା ତଳେ ରହିଯାଇଥିବା ପାଇପ୍‌ଲାଇନ୍‌କୁ ସ୍ଥାନାନ୍ତରିତ କରିବା ଲାଗି ପୁର୍ତ୍ତ ବିଭାଗ ୪ଟି କିସ୍ତିରେ ୩୬ଲକ୍ଷ୭୨ହଜାର୪୨୪ଟଙ୍କା ପାଇପ୍‌ପାଣି ବିଭାଗ (ଆର୍‌.ଡବ୍ଲୁଏସ୍‌ଏସ୍‌)ରେ ଜମା କରିଥିଲେ ମଧ୍ୟ କର୍ମଚାରୀମାନଙ୍କ ଉଦାସୀନତା ଓ ହେୟଜ୍ଞାନ ଯୋଗୁଁ ତାହା ସ୍ଥାନାନ୍ତର ହୋଇପାରିନାହିଁ । ଆର୍‌.ଡବ୍ଲୁଏସ୍‌ଏସ୍ ବିଭାଗରେ ଦୀର୍ଘଦିନ ପୂର୍ବରୁ ପର୍ଯ୍ୟୟକ୍ରମେ ଅର୍ଥ ଜମାହୋଇ ଆସୁଥିଲେ ମଧ୍ୟ ଏହି କାର୍ଯ୍ୟଶେଷ ହେଉନଥିବାରୁ କେତେକ ବ୍ୟକ୍ତି ଦୁଇ ବିଭାଗ ବିରୁଦ୍ଧରେ ଆଇନ୍‌ର ଆଶ୍ରୟ ନେବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ରାସ୍ତାର ଦୁଇକଡେ ପ୍ରାୟ ୭୦ ପରିବାର ଜବରଦଖଲ କରି ରହୁଥିବାରୁ ସେମାନଙ୍କୁ ଅଦ୍ୟାବଧି ଉଚ୍ଛେଦ କିମ୍ବା ଥଇଥାନ କରାଯାଇ ପାରିନାହିଁ । ଫଳରେ ଠିକାଦାର କାର୍ଯ୍ୟ ଅଧାପନ୍ଥରିଆଭାବେ ଛାଡି ପଳାଇ ଯାଇଛି । ଏ ସମ୍ପର୍କରେ ପୁର୍ତ୍ତବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ଅଶୋକ କୁମାର ପଣ୍ଡାଙ୍କୁ ପଚାରିବାରୁ ଆର୍‌.ଡବ୍ଲୁଏସ୍‌ଏସ୍ ବିଭାଗର ସର୍ତ୍ତ ଅନୁଯାଇ ଅର୍ଥ ପୈଠ ହୋଇଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟ ଶେଷ ହୋଇ ନଥିବାରୁ ଏପରି ବିଳମ୍ବ ହେଉଥିବା ସେ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା