ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ପ୍ରତିକୂଳ ପାଗ ଯୋଗୁଁ ଜଳେଶ୍ୱର ବ୍ଲକର ରାଇବଣିଆ ଥାନା ଅନ୍ତର୍ଗତ ୬ଟି ପଂଚାୟତରେ ପ୍ରାୟ ୫୩୫ହେକ୍ଟର ଜମି ମରୁଡି କବଳିତ ବୋଲି କୃଷି ଜିଲ୍ଲା ଅଧିକାରୀ ପ୍ରକାଶ କରିଛନ୍ତି । କିନ୍ତୁ ଏହି ସଂଖ୍ୟା ବହୁ ଅଧିକ ହେବ ବୋଲି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମିକ୍ଷା ବୈଠକରେ ବିଧାୟକ ଉପସ୍ଥିତଥିବା ଅତିରିକ୍ତ ଜିଲାପାଳଙ୍କୁ ପ୍ରମାଣ ସହ ଅବଗତ କରାଇଥିଲେ । ଜଳେଶ୍ୱର ବ୍ଲକରେ ଚଳିତବର୍ଷ ୨୧ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ହେବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ଏଥିଲାଗି ଚାଷୀମାନଙ୍କ ଠାରେ ଆବଶ୍ୟକ ବିହନ ମଧ୍ୟ ଗଚ୍ଛିତ ଥିଲା । ପ୍ରତିକୂଳ ପାଗ ଏବଂ ଉଚ୍ଚ ପାହାଡିଆ ଅଞ୍ଚଳ ଯୋଗୁଁ ରାଇବଣିଆର ୬ଟି ପଞ୍ଚାୟତ ବିଶେଷ କରି ସର୍ଦ୍ଦାରବନ୍ଧ, ଶ୍ୟାମନଗର, ବରଡିହା, କାଳିକ, କଳମା ଓ ଖୁଆଡ ପ୍ରଭୃତି ଅଞ୍ଚଳରେ ଚାଷାବାଦ ହୋଇପାରିନାହିଁ । ନିକଟରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଧାରଣଟ ନିର୍ବାଚନପରେ ଜଳେଶ୍ୱର ବ୍ଲକ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହେଉଥିବା ବେଳେ ଜିଲା କୃଷି ଅଧିକାରୀ ସୁରେନ୍ଦ୍ର ମହାପାତ୍ର ଉପରୋକ୍ତ ପଞ୍ଚାୟତ ଗୁଡିକର ୫୦୦ ହେକ୍ଟର ଜମିରେ ଚାଷାବାଦ ହୋଇନଥିବାର ସୂଚନା ଦେଇଥିଲେ । ଏଥିରୁ କେବଳ ଶ୍ୟାମନଗର ପଞ୍ଚାୟତରେ ୪୦୦ହେକ୍ଟର ଜମିରେ ଚାଷା ହୋଇ ପାରିନଥିବା ସୂଚନା ଦେବା ସହିତ ଆଗାମୀ ରବିଋତୁ ଲାଗି ଉପରୋକ୍ତ ପଞ୍ଚାୟତ ଗୁଡିକରେ ଚାଷାବାଦ ହେବାଲାଗି କେତେକ ପଦକ୍ଷେପ ନିଆଯିବା ସଂପର୍କରେ ଅବଗତ କରାଇଥିଲେ । ମାତ୍ର ବୈଠକରେ ଅଧ୍ୟକ୍ଷତା କରୁଥିବା ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ବାସସ୍ଥାନ ଖୁଆର୍ଡ ଗ୍ରାମରେ ହୋଇଥିବାରୁ ଏବଂ ସେ ଉପରୋକ୍ତ ଅଞ୍ଚଳଗୁଡିକ ଗସ୍ତ କରିଥିବାରୁ ଚାଷାବାଦ ହୋଇପାରିନଥିବାର ପରିମାଣ ଆନୁମାନିକ ୧ହଜାର ହେକ୍ଟର ହେବ ବୋଲି କେତେକ ପ୍ରମାଣ ସହିତ ତଥ୍ୟ ଉପସ୍ଥାପନ କରିଥିଲେ । ଏ ସଂର୍ପକରେ ସଠିକ୍ ତଥ୍ୟ ସଂଗ୍ରହ କରିବା ପାଇଁ ଅତିରିକ୍ତ ଜିଲାପାଳ ଜଳେଶ୍ୱର କୃଷି ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା