ଜଳେଶ୍ୱର କଂଗ୍ରସର ସୁଦୃଢ ପାଇଁ ନେତୃମଣ୍ଡଳିଙ୍କ ପ୍ରଚେଷ୍ଟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଳମ୍ବରେ ହେଲେବି ସାଧାରଣ ନିର୍ବାଚନ ପରେ ଜଳେଶ୍ୱର କଂଗ୍ରେସର ସ୍ଥିତି ଦୃଢ ଓ କ୍ରିୟାଶୀଳ ପାଇଁ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଜଳେଶ୍ୱର ନିର୍ବାଚନମଣ୍ଡଳୀର ପ୍ରାୟ ୨୦ଜଣ ବଛା ବଛା ନେତାଙ୍କୁ ଆଜି ଏକଜୁଟ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଡକାଇଥିବା ଜଣାଯାଇଛି । ଉପାନ୍ତ ଜଳେଶ୍ୱର ରାଜନୈତିକ ଦୃଷ୍ଟିରୁ ଏକ ପ୍ରମୁଖ ସ୍ଥାନ ଭାବେ ବେଶ୍ ପରିଚିତ । ତେଣୁ ସବୁ ରାଜନୈତିକ ଦଳପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ସ୍ଥିତି ଦୃଢ ଥିବା ବେଳେ ସମୀକ୍ଷକମାନେ ତାହା ୟ ସ୍ଥାନରେ ରହିବାର ଆଶା କରୁଥିଲେ । ହେଲେ ନିର୍ବାଚନ ଫଳଫଳ ପରେ ଦଳ ୩ୟ ସ୍ଥାନରେ ରହି ସନ୍ତୁଷ୍ଟ ହେବାକୁ ପଡିଥିଲା । ଏପରିକି ନିର୍ବାଚନ ସମୟରେ କଂଗ୍ରେସର ସ୍ଥାନୀୟ ନେତୃମଣ୍ଡଳୀ ଅସହଯୋଗ କରିଥିବା ଜଣାଯାଏ । ସାଂସଦ ପ୍ରାର୍ଥୀ ଯେତିକି ଭୋଟ ପାଇବା ପାଇଁ ଆକଳନ କରିଥିଲେ ସେତିକି ମଧ୍ୟ ପାଇନଥିଲେ । ଭବିଷ୍ୟତରେ ବାଲେଶ୍ୱର ସାଂସଦୀୟ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନବଜ୍ୟୋତିଙ୍କ ଲାଗି ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜଳେଶ୍ୱରର କେତେକ ବଛା ବଛା ନେତୃମଣ୍ଡଳୀଙ୍କୁ ଭୁବନେଶ୍ୱର ଡାକି ମାନସମନ୍ଥନ କରାଯାଇଛି । ସେମାନଙ୍କ ମଧ୍ୟରେ ଆଇନଜୀବୀ ସତ୍ୟସୁନ୍ଦର ଦାସ, ପୂର୍ବତନ ବ୍ଲକ ସଭାପତି ତପନ ଦାସ, ପୂର୍ବତନ କାଉନସିଲର ଜଗଦୀଶ ନନ୍ଦୀ, ବିରଞ୍ଚି ଭୂୟାଁ, ପୂର୍ବତନ ପୌର ଅଧ୍ୟକ୍ଷ ଦେବୀଦାସ ଗିରି, ଅଶ୍ୱିନୀ ଦାସ ଅଧିକାରୀ, ରୁନୁ ସିଂହେମନ୍ତ ଗିରି, ରାଜୀବ ପରିଡା ପ୍ରମୁଖ ଯାତ୍ରା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌରପାଳ ସୁନୀଲ ପରିଡା, ବ୍ଲକ ଅଧ୍ୟକ୍ଷ ସୁକୁମାର ଘୋଷ, ଗୌରାଙ୍ଗ ମହାପାତ୍ର, ଗିରିଜା ଶଙ୍କର ଦାସ, ବାର୍ ସଭାପତିକୁଂଜ ବିହାରୀ ଦାସ ପ୍ରମୁଖ ସେଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଭୂବନେଶ୍ୱରରେ ମଧ୍ୟ ଉପସ୍ଥିତ ରହିଥିବା ଜଣାଯାଇଛି । ଆସନ୍ତା ଦିନରେ ପୌରପରିଷଦ ନିର୍ବାଚନ ଥିବାରୁ କଂଗ୍ରେସ ତାର ସ୍ଥିତି ଜାହିର କରିବା ଲାଗି ଏବେଠାରୁ ପ୍ରସ୍ତୁତ ହେବାକୁ ଚେଷ୍ଟା କରୁଥିବା ବହୁ ତଥ୍ୟାଭିଜ୍ଞଙ୍କ ଠାରୁ ପ୍ରକାଶ । ମାତ୍ର ଏଥିରେ କେତେ ସଫଳ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ : ଭୂପତି କୁମାର ପରିଡା