ଜଳେଶ୍ୱର କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ପିସିସି ସଭାପତିଙ୍କୁ ଚ୍ୟାଲେଞ୍ଜ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାନସଭା ମଣ୍ଡଳୀ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ ରୂପେ ଘୋଷଣା ପରେ ଗତକାଲି ପୂର୍ବାହ୍ନରେ ସହର ଉପକଣ୍ଠ ବାଘାବାଳୀ ଠାରେ ବିଶାଳ କର୍ମୀ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରାଯାଇଛି । ସାଂଗଠନିକ ସ୍ତରରୁ ଜଣକୁ ପ୍ରାର୍ଥୀ କରାନଗଲେ କଂଗ୍ରେସ ଦଳ କର୍ମୀମାନେ ରାଜ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ସୁଦର୍ଶନ ଦାସଙ୍କୁ କୌଣସି ପଞ୍ଚାୟତକୁ ପ୍ରବେଶ ଦିଆଯିବ ନାହିଁ ବୋଲି ରୋକ୍ଠୋକ୍ ପ୍ରକାଶ କରିଥିଲେ । ରାଜପୁର ପଞ୍ଚାୟତର ସମିତି ସଭ୍ୟ ମଧୁସୂଦନ ଦାସଙ୍କ ଆବାହକତ୍ୱରେ ପୂର୍ବତନ ସରପଂଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ପୌରହିତ୍ୱରେ ନିର୍ବାଚନୀ ମଣ୍ଡଳୀସ୍ତରୀୟ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜଳେଶ୍ୱର ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତପନ ଦାସ ଯୋଗ ଦେଇ ଦୀର୍ଘ ୨୫ ବର୍ଷର କଂଗ୍ରେସ ଦଳର ରାଜନୈତିକ ଉତ୍ଥାନ ପତ୍ତନ ମଧ୍ୟରେ ସେ କେବେବି ଦଳୀୟ ସଂଗଠନ ଓ କର୍ମୀମାନଙ୍କୁ କୋଣଠେସା କରିନଥିବା ବେଳେ ବ୍ୟକ୍ତିଗତ ସ୍ୱାର୍ଥସାଧନ ପାଇଁ ଦଳକୁ ମୋହରା ବନାଇଥିବା ସୁଦର୍ଶନ ଦାସଙ୍କୁ ଦଳୀୟ ଟିକେଟ୍ ଦିଆଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଜଳେଶ୍ୱର କର୍ମୀ ମହଲ ସୁଦର୍ଶନ ଦାସଙ୍କୁ କେବେବି ଗ୍ରହଣ କରିବେ ନାହିଁ ବୋଲି ସେ ରୋକଠୋକ୍ କହିଥିଲେ । ଜିଲା କଂଗ୍ରେସ କମିଟି ସଂପାଦକ ତଥା ରାମନଗରପାଟଣା ସେବା ସମବାୟ ସମିତି ସଭାପତି ମଧୁସୂଦନ ଦାସ ସାଂଗଠନିକ ନିଷ୍ପତ୍ତିକୁ ପିସିସି ସଭାପତି ଅଣଦେଖା କରି ପ୍ରାର୍ଥୀ ଚୟନ କରିଥିବାରୁ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କର୍ମୀମାନେ କଠୋର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ଦଳୀୟ ସଂଗଠନ ଭୁଷୁଡି ପଡିଥିଲା ବେଳେ ଏହାକୁ ରକ୍ଷା କରିଥିବା ପୂର୍ବତନ କଂଗ୍ରେସ ବିଧାୟକ ଦେବୀପ୍ରଶନ୍ନ ଚନ୍ଦ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତପନ ଦାସ ଓ ଯୁବନେତା ମଧୁସୂଦନ ଦାସ ପ୍ରମୁଖଙ୍କୁ ଦଳୀୟ ଟିକଟରୁ ବଂଚିତ କରାଯାଇ ମୟୂରଭଂଜ ଜିଲାର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଥିବାରୁ ହାଇକମାଣ୍ଡଙ୍କ ଉପରେ ବର୍ଷିଥିଲେ । ଆଗାମୀ ଦିନରେ ଏହାର ସୁଧାର ନ ହେଲେ କର୍ମାମାନେ ବିକଳ୍ପ ପନ୍ଥା ଅବଲମ୍ବନ କରିବେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ରିଆଜ୍ ଖାଁ, ଜିଲା ସଂଖ୍ୟାଲଘୁ ସେଲ୍ର ସଭାପତି ଆକବର ସାହା, ବସ୍ତା ଯୁବକଂଗ୍ରେସ ସଭପତି ସୁଧାଂଶୁ ସେଖର ଜେନା, ୧୦ନଂ ଜୋନ୍ ସଭାପତି ଅତୁଲ ଦାସ, ପୂର୍ବତନ ଜିଲାପରିଷଦ ସଭ୍ୟ ନଗେନ୍ଦ୍ର ସିଂ, ପୂର୍ବତନ ସମିତି ସଭ୍ୟ ସଂଜୀବ ପ୍ରଧାନ, ଚନ୍ଦନ ମଣ୍ଡଳ ଓ ସରୋଜ ଦାସ, କଂଗ୍ରେସ ନେତା ବିଭୁରେନ୍ଦ୍ର ଦେ, ସୁଶାନ୍ତ ପ୍ରଧାନ, ଜୟନାରାୟଣ ପ୍ରଧାନ, ପ୍ରଶାନ୍ତ ଗାନ୍ଧି, ଝୁନା ପରିଡା, ସେକ୍ ତଇରୁଦ୍ଦିନ, ନାଏବ ସରପଂଚ ଜନ୍ମେଜୟ ସାହୁ, ପୂର୍ବତନ ସରପଂଜ ଗିରିଜା ଶଂକର ଜେନା, ଉମାଶଂକର ମହାପାତ୍ର, ମନୋଜ ଭୂୟାଁ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ହାଇକମାଣ୍ଡଙ୍କ ନିଷ୍ପତ୍ତିର ପୁନଃର୍ବିଚାର କରିବାପାଇଁ ଚରମବାଣୀ ଶୁଣାଇଥିଲେ । ଶେଷରେ ସୁଶାନ୍ତ ଦେ ଧନ୍ୟବାଦ ଦେଇଥିଲେ । ଉକ୍ତ କର୍ମୀ ସମାବେଶରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୯ଟି ପଂଚାୟତର ଓ ପୌରପରିଷଦର ୧୭ଟି ୱାର୍ଡରୁ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା