ଜଳେଶ୍ୱର କୃଷି ଜିଲାରେ ଚାଷୀଙ୍କ ନିଦ ହଜାଇଛି ଅଦିନିଆ ବାତ୍ୟା : ବିଲରେ ପଡିଛି ୧୫ ହଜାର ହେକ୍ଟର ଧାନ ଓ ୫୫୫୦ ହେକ୍ଟର ଅଣଧାନ ଫସଲ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଶନିବାର ଦିନ ତମାମ ବର୍ଷା ଓ କୋହଲା ପାଗ ଜଳେଶ୍ୱର କୃଷି ଜିଲାର ଚାଷୀଙ୍କ ନିଦ ହଜାଇ ଦେଇଛି । ଆସନ୍ତା ୨ ଦିନରେ ପ୍ରବଳ ବର୍ଷା ଓ ପବନ ହେବାର ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଅଦ୍ୟାବଧି ୧୫ ହଜାର ହେକ୍ଟର ଧାନ ଜମିର ପାଚିଲା ଫସଲ ଓ ୫୫୫୦ ହେକ୍ଟର ଅଣଧାନ ଜମିର ପରିବା, ତୈଳଜାତୀୟ, ମସଲା, ଡାଲି ଇତ୍ୟାଦି ଚାଷର କ୍ଷତି ଆଶଙ୍କାରେ ଚାଷୀକୂଳ ମୁଣ୍ଡରେ ହାତମାରି ବସିଛନ୍ତି । ଚଳିତ ଖରିଫ ଋୁତୁରେ ଜଳେଶ୍ୱର କୃଷି ଜିଲାର ଜଳେଶ୍ୱର ବ୍ଲକରେ ୨୦୦୫୫ ହେକ୍ଟର ଜମିରେ ଖରିଫ ଧାନଚାଷ ହୋଇଥିଲା । ସୁବର୍ଣ୍ଣରେଖାର ବାରମ୍ବାର ବନ୍ୟା ଓ ପ୍ରବଳ ବର୍ଷାଯୋଗୁଁ ୫୫୫ ହେକ୍ଟର ଜମିର ଚାଷ ଧୋଇ ଯାଇଥିଲା ଏବେ ୧୯୫୦୦ ହେକ୍ଟର ଜମିର ପ୍ରାୟ ୧୨୫୦୦ ହେକ୍ଟର ଜମିର ଧାନକଟା ସରିଥିବା ବେଳେ ପ୍ରାୟ ୭ହଜାର ହେକ୍ଟର ଜମିର ଧାନ ବିଲରେ ରହିଥିବା କୃଷି ଜିଲା ଅଧିକାରୀ ଚନ୍ଦ୍ରସେଖର ପାଢି ପ୍ରକାଶ କରିଛନ୍ତି । ଭୋଗରାଇ ବ୍ଲକରେ ୧୭ହଜାର ହେକ୍ଟର ଜମିରେ ରୁଆପୋତା ହୋଇଥିବା ବେଳେ ୧୦ହଜାର ହେକ୍ଟର ଜମିରେ ଧାନ ଚାଷ ବନ୍ୟା ଯୋଗୁଁ ସଂପୂର୍ଣ୍ଣ ଧୋଇ ଯାଇଥିବା କୃଷି, ରାଜସ୍ୱ ସୂତ୍ରରୁ ପ୍ରକାଶ । ତେଣୁ ୭ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିବା ବେଳେ ୪ହଜାର ହେକ୍ଟର ଜମିର ଧାନ ଚାଷୀ ଘରକୁ ନେଇଥିବା ବେଳେ ୩ହଜାର ହେକ୍ଟର ଜମିର ଚାଷ ବିଲରେ ପଡି ରହିଛି । ବାଲିଆପାଳ ବ୍ଲକର ୧୫୪୫୬ ହେକ୍ଟର ଜମିରେ ଖରିଫ ଧାନଚାଷ ହୋଇଥିବା ବେଳେ ୨୦୦ ହେକ୍ଟର ଜମିର ଚାଷ ବନ୍ୟାରେ ଧୋଇ ଯାଇଥିଲା । ୧୦ ହଜାର ହେକ୍ଟର ଜମିର ଧାନ ଚାଷୀମାନେ ଘରକୁ ନେଇଥିବା ବେଳେ ଏବେ ୫ହଜାର ହେକ୍ଟର ଜମିର ଧାନଚାଷ ବିଲରେ ପଡିରହିଛିି ବୋଲି ଶ୍ରୀ ପାଢି ସମ୍ବାଦଦାତା ମାନଙ୍କୁ ସୂଚନା ଦେଇଛନ୍ତି । ରବିଋତୁରେ ଜଳେଶ୍ୱର ବ୍ଲକ ଅଂଚଳରେ ୨୭୦୦ ହେକ୍ଟର ଜମିରେ ବାଇଗଣ, ବିଲାତି, କାଙ୍କଡ଼, ପୋଟଳ, ଭେଣ୍ଡି, ବନ୍ଧା କୋବି, ଫୁଲ କୋବି, ଝୁଡଙ୍ଗ, ଲଙ୍କା, ଶାବ, ମୁଗ, ବିରି, ରାଇ, ସୋରିଷ, ସୂର୍ଯ୍ୟମୂଖୀ, ଚିନାବାଦାମ, ଆଳୁ, ପିଆଜ ଚାଷ ହୋଇଥାଏ । ଏବେ ଏହି ଚାଷ ଅମଳ ହେଉଥିବା ବେଳେ ଡାଲି ଓ ଚିନାବାଦାମ ମଞ୍ଜି ବୁଣା ସରିଛି । ସେହିପରି ଭୋଗରାଇରେ ୧୩୦୦ ହେକ୍ଟର ଓ ବାଲିଆପାଳରେ ୧୫୫୦ ହେକ୍ଟର ଜମିରେ ଅଣଧାନ ଚାଷ ହୋଇଥାଏ । ଆଜି ଦିନ ତମାମ ବର୍ଷା ହେଉଥିବା ବେଳେ ୬ ତାରିଖ ଯାଏ ଏ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି । ବିଲରେ ପାଚିଲାଧାନ ଓ ଅଣଧାନ ଚାଷ ରହିଥିବାରୁ ସେଗୁଡିକ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା କରିଥିବାରୁ ବହୁ ଚାଷୀ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି ।

ରିପୋର୍ଟ : ଭୂପତି ପରିଡା