ଜଳେଶ୍ୱର ତହସିଲର ୯୮ ସ୍ଥାନରେ ମାଫିଆଙ୍କ ବେଆଇନ୍ ବାଲି ମହଜୁଦ, ଜିଲାପାଳଙ୍କ ନିର୍ଦ୍ଦେଶରେ ହେଲା କାର୍ଯ୍ୟାନୁଷ୍ଠାନ : ଆଦୟ ହେବ ୩୬.୭ଲକ୍ଷ ଟଙ୍କା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖାରୁ ସିଧାସଳଖ ବେଆଇନ୍ ଓ ବେଧଡକ ବାଲିଚାଲାଣ ବନ୍ଦ ହେବା ପରେ ଏବେ ବାଲିମାଫିଆମାନେ ଅଭିନବ ଉପାୟରେ ଜଳେଶ୍ୱର ତହସିଲର ୯୮ଟିସ୍ଥାନରେ ପାହାଡ ସଦୃଶ ବାଲି ମହଜୁନ୍ କରି ରଖିଛନ୍ତି । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ୯୮ଟି ସ୍ଥାନ ପରିଦର୍ଶନ କରି ୩୬ଲକ୍ଷ ୭୩ହଜାର ୭୮୬ଟଙ୍କା ଜୋରିମାନା ଆଦୟ ହେବା ସଂପର୍କରେ କହିଛନ୍ତି । ଘଟଣାରୁ ପ୍ରକାଶ ସୁବର୍ଣ୍ଣରେଖଶ ନଦୀରେ ବନ୍ୟା ଆସିବା ପରେ ଜିଲା ପ୍ରଶାସନର ତନାଘନା ଆରମ୍ଭ ହେବାରୁ ଏବେ ସୁବର୍ଣ୍ଣରେଖଶ ନଦୀରୁ ସିଧାସଳଖ ପଶ୍ଚିମବଂଗକୁ ବାଲି ଚାଲାଣ ବନ୍ଦ ହୋଇଛି । କିନ୍ତୁ ସବୁ ବର୍ଷ ପରି ବାଲିମାଫିଆମାନେ ବନ୍ୟା ପୂର୍ବରୁ ସୁବର୍ଣ୍ଣରେଖା ଗର୍ଭରୁ ବେଆଇନ୍ ଓ ବେଧଡକ ଭାବେ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ମହଜୁଦ କରିଛନ୍ତି । ଜିଲାପାଳ କେ ସୂଦର୍ଶନ ଚକ୍ରବର୍ତ୍ତୀଙ୍କ ନିକଟରେ ଅଭିଯୋଗ ହେବାପରେ ଆଇନ୍ ଅନୁଯାୟୀ ସେମାନଙ୍କୁ ଜୋରିମାନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତହସିଲଦାର ବିଳାସପୁର, ରାଜନଗର, ମାକିଡିଆ, କୁଅଁରପୁର, ମକ୍ରମପୁର, ବେହେରାସାହି, ଦକ୍ଷିଣପ୍ରହରାଜପୁର, ପ୍ରହରାଜପୁର, ଗୋବରଘଟ୍ଟା, ଶିଖରପୁର, ଭାନୁପୁର, ମହମ୍ମଦନଗରପାଟଣା, ଚାଲନ୍ତି, ସେକ୍ସରାଇ, ଜମାଳପୁର, ପଶ୍ଚିମବାର୍ଡ, କଣ୍ଟାପାଳ, ଗଡସାହି ବାଲିଆପାଳ ଇତ୍ୟାଦି ଅଂଚଳ ତଦରଖକରି ୯୮ଟି ସ୍ଥାନରେ ଏଭଳି ବେଆଇନ୍ ବାଲିମହଜୁନ ଥିବାର ମୋଟ୯୮ଟି ମାମଲା ରୁଜୁ କରିଛନ୍ତି । ଅଦ୍ୟାବଧି ମୋଟ ୪୩ଟି ମାମଲାରୁ ୨୧ଲକ୍ଷ ୨୭ହଜାର ୩୨୬ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ଠାରୁ ପ୍ରକାଶ । ଏବେବି ଲୁକ୍ାୟିତ ହୋଇ ରହିଥିବା ବେଆଇନ ବାଲି ରାତିରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଏପରିକି ଦକ୍ଷିଣ ପ୍ରହରାଜପୁର ବାଲିପଠାରୁ ବେନିୟମଭାବେ ଶହ ଶହ ଟ୍ରାକ୍ଟର ଯୋଗେ ରାଇବଣିଆ ଓ ପଶ୍ଚିମବଂଗକୁ ବାଲିଚାଲାଣ ହେଉଥିବା ଜଣାଯାଇଛି । ଶିଖରପୁର ଅଂଚଳରୁ ଏପରିବାଲିଚାଲାଣ ସର୍ବାଧିକ ହୋଇଥିବା ବେଳେ ନୂତନକରି ନିର୍ମିିତ ହୋଇଥିବା ଶିଖରପୁର ବିଜୁସେତୁର ଏପ୍ରୋଚରୋଡ ମରଣଯନ୍ତା ପାଲଟିଛି । ଏ ସଂପର୍କରେ ଉକ୍ତ ରାସ୍ତାର ଯାତାୟାତ କରୁଥିବା ବ୍ୟକ୍ତିମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଖଣ୍ଡିଆଖାବରା ହେଉଥିବାରୁ ତାର ପ୍ରତିକାର ପାଇଁ ଜନସାଧାରଣରେ ଦାବୀ ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡ଼ା