ଜଳେଶ୍ୱର ପୌରପରିଷଦର ହୋଲ୍ଡିଂଟ୍ୟାକ୍ସ ଆଦାୟ ନ କରିବା ଲାଗି ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ୨୦୦୩ ମସିହା ଅଗଷ୍ଟ ୧୮ ତାରିଖରେ ତତ୍‌କାଳୀନ ଜଳେଶ୍ୱର ଏନ୍‌ଏସି ଅନ୍ତର୍ଗତ ସମସ୍ତ ୱାର୍ଡରେ ଥିବା ଗୃହ ଗୁଡିକର ମୁଲ୍ୟାଙ୍କନ ହୋଇ ଗୃହ ଟିକସ, ଆଲୁଅ ଟିକସ, ପାଣି ଟିକସ ଧାର୍ଯ୍ୟ କରାଯାଇ ସମସ୍ତଙ୍କୁ ମିଶାଇ ହୋଲ୍ଡିଂ ଟିକସ ଆଦାୟ ହୋଇ ଆସୁଛି । ଦୀର୍ଘ ୧୫ବର୍ଷ ମଧ୍ୟରେ ଜଳେଶ୍ୱର ଏନ୍‌ଏସି କିମ୍ବା ପୌରପରିଷଦର ଅନ୍ତର୍ଗତ ଘରଗୁଡିକ କୌଣସି ମୂଲ୍ୟାୟନ ସଂସ୍ଥା ଦ୍ୱାରା ପୁନଃ ମୂଲ୍ୟାୟନ ହୋଇ ନାହିଁ । ଏପରି ସ୍ଥଳରେ ଜଳେଶ୍ୱର ପୌରପରିଷଦ କର୍ତ୍ତୃପକ୍ଷ ମ୍ୟୁନିସିପାଲଟି ଆଇନ୍‌ରେ ଥିବା ନିୟମ ଅନୁଯାୟୀ ଗୃହ ଗୁଡିକର ମୂଲ୍ୟାୟନ ନ କରି ମନଇଚ୍ଛା ୨୦୧୬ – ୧୭ ଆର୍ଥୀକ ବର୍ଷଠଟାରୁ ଅଦ୍ୟାବଧି ହୋଲ୍ଡିଂ ଟିକସ ଆଦାୟ କରିଆସୁଛନ୍ତି । ଏ ସଂପର୍କରେ ଜଳେଶ୍ୱରର କେତେକ ସଚେତନ ନାଗରିକ ଗତ ୨୭-୨-୨୦୧୭ ତାରିଖରେ ବିଭାଗୀୟ ସଚିବ, ପୌର ନିର୍ଦ୍ଦେଶକ, ବାଲେଶ୍ୱର ଜିଲାପାଳ, ତତ୍‌କାଳୀନ ସାଂସଦ, ଜଳେଶ୍ୱର ବିଧାୟକ, ତତ୍‌କାଳୀନ ନଗରପାଳ, ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଲିଖିତଭାବେ ଅବଗତ କରିଥିଲେ । ପୌରପ୍ରଶାସନ ନିର୍ଦ୍ଦେଶକ ପତ୍ର ସଂଖ୍ୟା ୯୪(୭୪) ତା ୨୦-୩-୧୮ମୂଳେ ଓଡିଶାର ସମସ୍ତ ପୌରାଞ୍ଚଳ ସମେତ ଜଳେଶ୍ୱର ଏନ୍‌ଏସି ସମେତ ପତ୍ରଦ୍ୱାରା ଗୃହଗୁଡିକର ପୁନଃମୂଲ୍ୟାୟନ କରିବାପାଇଁ ଅନୁରୋଧ କରିଥିଲେ । ପରବର୍ତ୍ତୀ ସମୟରେ ଗତ ୧୫-୭-୧୯ରେ ଗୃହ ଓ ନଗର ବିଭାଗର ମୂଲ୍ୟାୟନ ସଂସ୍ଥା ମଧ୍ୟ ଜଳେଶ୍ୱର ପୌର କର୍ତ୍ତୃପକ୍ଷଙ୍କୁ ୩ଲକ୍ଷ୧୦ହଜାର ମଧ୍ୟରୁ କିସ୍ତି ଆକରରେ ଜମା କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଅଦ୍ୟାବଧି ଉକ୍ତ ଜମାରାଶି ଜଳେଶ୍ୱର ପୌରପରିଷଦ ସଂପୃକ୍ତ ମୂଲ୍ୟାୟନ ସଂସ୍ଥା (ସୋଡା) ନିକଟରେ ଦାଖଲ କରିନାହିଁ ବୋଲି ଯୁବ ଆଇନ୍‌ଜିବୀ ଗଣେଶ ଚନ୍ଦ୍ର ମାଇତି ସୂଚନା ଆଇନ୍ ବଳରେ ଜାଣିବାକୁ ପାଇଛନ୍ତି । ତେଣୁ ଜଳେଶ୍ୱର ପୌରପରିଷଶଦରେ ଥିବା ଗୃହର ପୁନଃ ମୂଲ୍ୟାୟନ ନ ହେବା ପର୍ଯ୍ୟନ୍ତ କୌଣସି ହୋଲ୍ଡିଂଟ୍ୟାକ୍ସ ଆଦାୟକୁ ବନ୍ଦ କରିବା ପାଇଁ ଦିଲ୍ଲୀପ ଗିରି, ସୁବ୍ରଜ ବେରା, ସିଦ୍ଧେଶ୍ୱର ପଣ୍ଡା, ଗଣେଶ ମାଇତି, ସୁକୁମାର ରଣା ପ୍ରମୁଖ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା