ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ:କଂଗ୍ରେସ ମିଡିଆ ସେଲ୍ରରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ସ୍ଥାନୀୟ ବିଧାୟକଙ୍କ ଅପାରଗତା ଏଥିପାଇଁ ଦାୟୀ ବୋଲି କଂଗ୍ରେସ ମିଡିଆ ସେଲ୍ରରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳା ଠାରେ ଶନିବାର ଦିନ କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଜଳେଶ୍ୱର ବ୍ଲକର ଶିଖରପୁର, ରଣନାଥ, ନାମ୍ପୋ, ଖୁଆଡ, ପଶ୍ଚିମବାଡ, ଜମାଳପୁର, ଗୋପୀମୋହନ ପୁର, ଓଲମରା, ଶାଳବଣୀ, ଜଳେଶ୍ୱର, ଭେଲୋରା ଓ ସିଂଲା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାବେଳେ ଫାର୍ମାସିଷ୍ଟ୍ ମାନଙ୍କ ହାତରେ ରୋଗୀମାନଙ୍କର ଭାଗ୍ୟକୁ ଟେକି ଦେଇଛନ୍ତି ବୋଲି କହିଥିଲେ । ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ଜଣ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୩ଜଣ ଡାକ୍ତର ରହିଛନ୍ତି । ସେହିପରି ଜଳେଶ୍ୱର ଜି.କେ. ଭଟ୍ଟର ହସପିଟାଲରେ ୭ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୩ଜଣ ଡାକ୍ତରଙ୍କ ଦ୍ୱାରା ରୋଗୀ ସେବା ଚାଲିଛି । ଏହି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ରୋଗୀଙ୍କୁ ବାଲେଶ୍ୱରକୁ ରେଫର କରାଯାଉଛି । ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଏମ.ବି.ବି.ଏସ୍ ଡାକ୍ତର ନିଯୁକ୍ତି କରିବା, ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜଳେଶ୍ୱର ଭଟ୍ଟର ହସ୍ପିଟାଲର ସମସ୍ତ ଡାକ୍ତର ଏବଂଷ୍ଟାଫ୍ ନର୍ସ ପଦବୀ ପୂରଣ କରା ନ ଗଲେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲିସାମ୍ବାଦିକ ମାନଙ୍କୁ ସେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସେକ ଫରିଦ୍ ଅହମ୍ମଦ, ଗିରିଜା ଶଙ୍କର ଦାସ, ବିଜୟ ପ୍ରଧାନ, ସରପଂଚ ପଦ୍ମଲୋଚନ ବେହେରା, ଜଗଦୀଶ ନନ୍ଦୀ ଓ ରାଜୀବ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା