ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାୟକ ଅଶିନୀ କୁମାର ପାତ୍ରଙ୍କ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ଟିକଟ କାଟିବା ଘଟଣାକୁ କେନ୍ଦ୍ର କରି ଗଣମାଧ୍ୟମରେ ପ୍ରକାଶ ପାଇବାପରେ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଭୂବନେଶ୍ୱରଠାରେ ଗଣମାଧ୍ୟମକୁ ଦେଇଥିବା ବିବୃତିକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଦଳୀୟ ଭୋଟ ରହିଥିବା ବେଳେ ସେ କାହାକୁ ଟିକଟ ଦେବେ ଓ କାହାକୁ ନ ଦେବେ ଏହି ପ୍ରସଙ୍ଗରେ ଶ୍ରୀ ପାତ୍ର ବୈଦ୍ୟୁତିକ ଗଣମାଧ୍ୟମକୁ ବିବୃତି ଦେବା ସଂଗେ ସଂଗେ ନିଜ ନାମରେ ୨୦ ହଜାରରୁ ୨୫ ହଜାର ଭୋଟ ରହିଥିବାର ଦମ୍ଭୋକ୍ତି ପ୍ରକାଶ କରିବା ତାଙ୍କର ଅହଂଭାବ ପରିଲକ୍ଷିତ ହେଉଛି ବୋଲି ବିଜେଡି ନେତା ତଥା ପୂର୍ବତନ ସରପଂଚ ମଧୁସୂଦନ ଦତ୍ତ, ଟାଉନ୍ ସଂଖ୍ୟାଉଘୁ ସେଲର ସଭାପତି ମୀର ଆବାସ ଅଲ୍ଲି, ସଂଖ୍ୟାଲଘୁ ନେତା ସେକ୍ ଅବଦୁଲ ହାକିମ୍ ପ୍ରମୁଖ ଏକ ପେସ୍ ବିବୃତିରେ ଜଣାଇଛନ୍ତି । ବିଜେଡିର ଦଳୀୟ ମୁଖପାତ୍ର ଥିବା ବେଳେ କେଉଁ ପରିସ୍ଥିତିରେ ଅନ୍ୟ ବିଜେଡି ବିଧାୟକଙ୍କ ଦଳୀୟ ଟିକଟ କଟାଯିବା ଖବର ଭିଡିଓରେ ଭାଇରାଲ ହେବା ବେଳେ ଜଳେଶ୍ୱର ବିଜେଡି ବିଧାୟକ ଶ୍ରୀ ପାତ୍ର ଗଣମାଧ୍ୟମକୁ ବିବୃତି ଦେଇ ଦଳୀୟ ଶୃଙ୍ଖଳା ଭଂଗ କରିଛନ୍ତି ସେ ସଂପର୍କରେ ସେମାନେ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାକୁ ଦାବୀ କରିଛନ୍ତି । ଏହି ପ୍ରସଙ୍ଗରେ ଜଳେଶ୍ୱର ବିଧାୟକଙ୍କ ଶ୍ରୀ ପାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ଏ ଘଟଣାରେ ମୋର କୌଣସି ଫରକ ପଡେନାହିଁ ବୋଲି କହିିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା