ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଟିଫିନ୍ ଛୁଟି ସମୟରେ ଜଳେଶ୍ୱର ଟାଉନ୍ହାଇସ୍କୁଲର ୩ଜଣ ଛାତ୍ର ନୂଆବଜାର ଆଡେ ଗଲାବେଳେ ୪୫ନଂ ଜଳେଶ୍ୱର ନୂଆବଜାରସ୍ଥିତ ରେଳଫାଟକ ଉପରକୁ ଏକ ଯନ୍ତ୍ରଚାଳିତ ଭୁଟଭୁଟି ରିକ୍ସା ପଶ୍ଚିମବଂଗଆଡେ ଯିବାକୁ ଥିବା ବେଳେ ତାହା ପଛକୁ ଓଲଟି ପଡିଥିଲା । ପଛରେ ଅତି ନିକଟରେ ଚାଲିଥିବା ଟାଉନ୍ ହାଇସ୍କୁଲର ୩ଜଣ ଛାତ୍ର ପ୍ରଭାବିତ ହୋଇଥିଲେ । ସେମାନଙ୍କ ଉପରେ ଇଟା ଗୁଡିକ ଓଜାଡି ପଡିଥିଲା । କିନ୍ତୁ ୨ଜଣ ସେଥିରୁ କୌଶଳକ୍ରମେ ବାହାରି ଥିଲେ ମଧ୍ୟ ଜଣେ ଉଦ୍ଧାର ପାଇପାରିନଥିଲା । ତାର ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଇଟା ମାଡରେ କ୍ଷତାକ୍ତ ହୋଇଥିଲା । ମୁଣ୍ଡର ବିଭିନ୍ନ ସ୍ଥାନ ଫାଟି ରକ୍ତ ଝରୁଥିବା ଦେଖିବାକୁ ମିଳିଥିଲା । ପରେ ସେଠାରେ ଯାଉଥିବା ଲୋକେ ଇଟାଗଦାତଳୁ ସବ୍ୟସାଚି ବେହେରା(୧୫)କୁ ଉଦ୍ଧାର କରି ସ୍ଥାନୀୟ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାର ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ରକ୍ତ ଉବୁଟୁବୁ ସବ୍ୟସାଚି ସଂଜ୍ଞାହୀନ ଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । କିନ୍ତୁ ସବ୍ୟଚାରୀ ବେହେରାର ମୃତ୍ୟଘଟିଥିବା ଜଣାଯାଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିଖରପୁର ପଂଚାୟତର ରାଜନଗର ଗାଁର ଶମ୍ଭୁନାଥ ବେହେରା ଓ ସୁମିତ୍ରା ବେହେରାଙ୍କ ଏକମାତ୍ର ପୁଅ ସବ୍ୟସାଚି ଜଳେଶ୍ୱର ଟାଉନ୍ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ର ଥିଲା । ଚଳିତବର୍ଷ ଏକମାତ୍ରପୁଅ ମ୍ୟାଟ୍ରିକ ପାସ କଲାପରେ ଉଚ୍ଚ ଶିକ୍ଷା ପାଇଁ ଆଶା ପୋଶଣ କରିଥିବା ବାପା, ମା, ପରିବାର ଲୋକଙ୍କ କୋହ, କ୍ରନ୍ଦନରେ ସମଗ୍ର ସହର ପ୍ରକମ୍ପିତ ହେଉଥିଲା । ଦୀର୍ଘସମୟଧରି ଉକ୍ତ ରାସ୍ତାରେ ଯାନବାହାନ ବନ୍ଦ ହୋଇଥିଲା । ଜଳେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପଶ୍ଚିମବଙ୍ଗର ରାମସେରା ଗାଁର ଗୌରୀଶଙ୍କର ବେହେରାଙ୍କ ପୁଅ ବିମଳ ବେରା (୩୧)ଙ୍କୁ ଅଟକ ରଖି ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି । ଆହତ ଛାତ୍ର ଦ୍ୱୟ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ପ୍ରକାଶଯୋଗ୍ୟ ଏଭଳି ଯନ୍ତ୍ରଚାଳିତ ଭୁଟଭୁଟି ରକ୍ସା ଏବଂ ବ୍ୟାଟେରି ଚାଳିତ ଟେମ୍ପୁ ଗୁଡିକ ରେଜିଷ୍ଟ୍ରେସନ ହେବା ମଟର ଭେଇକିଲ ଆଇନ୍ ପରିସରଭୁକ୍ତ ନୁହେଁ । ତେଣୁ ଅନାୟସରରେ ପଶ୍ଚିମବଙ୍ଗ-ଓଡିଶା ସୀମାନ୍ତରେ ଏପରି ଯାନ ଚଳାଚଳ ଓ ବ୍ୟବହାର ଅଧିକ ହେଉଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇ ଆସୁଛି । ଏଥିପ୍ରତି ସରକାରୀ ସ୍ତରରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ୍ ।
ରିପୋର୍ଟ : ଭୂପତି କୁମାର ପରିଡା