ଜଳେଶ୍ୱର ରେଳ ଷ୍ଟେସନରେ ଖୋଲୁଛି ଆରଏମ୍ଏସ୍ ୟୁନିଟ୍ ୧୮୦ ଶାଖା ଡାକଘର, ଚିଠି ବାଲେଶ୍ୱର ଯାଇ ପୁଣି ଫେରୁଛି ଜଳେଶ୍ୱର : ଡାକସେବା ବାଧାପ୍ରାପ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରରେ ଜଳେଶ୍ୱରକୁ କେନ୍ଦ୍ର କରି ରହିଥିବା ଆରଏମ୍ଏସର ଏକ ସଟିଂ ଅଫିସ୍ ବନ୍ଦ ହୋଇଯିବା ଫଳରେ ଏ ଅଂଚଳରେ ଥିବା ୧୮୦ଟି ଶାଖା ଡାକଘରର ଚିଠିପତ୍ର, ମନିଅଡ଼ର, ରେଜେଷ୍ଟ୍ରୀ ଓ ନିଯୁକ୍ତି ପତ୍ର ବାଲେଶ୍ୱର ଯାଇ ପୁଣି ଜଳେଶ୍ୱର ଫେରୁଥିବାରୁ ଡାକସେବା କ୍ଷେତ୍ରରେ ଲୋକେ ଉପକୃତ ହୋଇପାରୁନାହାନ୍ତି । ତୁରନ୍ତ ଜଳେଶ୍ୱର ରେଳ ଷ୍ଟେସନରେ ଆରଏମ୍ଏସ୍ ଏକ ସର୍ଟି ଅଫିସ୍ ଖୋଲିବାଲାଗି ବିଭାଗୀୟ ମନ୍ତ୍ରୀ, ବାଲେଶ୍ୱରର ସାଂସଦ ତଥା ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, ବିଭାଗୀୟ ଡାଇରେକ୍ଟର ଜେନେରାଲ ତଥା ସଚିବ, ମହାମୁଖ୍ୟ ଡାକପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଜି ଜଳେଶ୍ୱର ଉନ୍ନୟନ ପରିଷଦ ମଧ୍ୟଏଥିନେଇ ଅନ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ଯୋଗାଯୋଗ କ୍ଷେତ୍ରରେ ଡାକବିଭାଗର ସେବା ପ୍ରଶଂସନୀୟ । ତେଣୁ ଜଳେଶ୍ୱର ମୁଖ୍ୟ ଡାକଘର ଅନ୍ତର୍ଗତ ସୁଗୋ, ନାମ୍ପୋ, କମର୍ଦ୍ଦା ଦହମୁଣ୍ଡା, ଦେହୁର୍ଦ୍ଦା, ଭୋଗରାଇ, ଚନ୍ଦନେଶ୍ୱର , ହାତୀଗଡ, ବାଲିଆପାଳ ଓ ଫୁଲବଣି ଉପଡାକଘର ଅଧିନରେ ଥିବା ୧୮୦ଟି ଶାଖା ଡାକଘର କାର୍ଯ୍ୟ କରିଆସୁଛି । ଏବେବି ଚିଠିପତ୍ର, ମନିଅର୍ଡର, ରେଜିଷ୍ଟ୍ରି ଚିଠି, ସ୍ପିଡ ପୋଷ୍ଟ, ସଂଜୟ ଜମାଖାତା, ଡାକ ଜୀବନବୀମା ଇତ୍ୟାଦି ଡାକ ବିଭାଗ ସମ୍ପନ୍ନ ହୋଇଥାଏ । କିନ୍ତୁ ୧୯୮୨ରୁ୮୬ ମସିହା ପର୍ଯ୍ୟନ୍ତ ଜଳେଶ୍ୱର ରେଳ ଷ୍ଟେସନରେ ଏକ ସଟିଂ ଅଫିସ୍ ଖୋଲାଯାଇଥିବାରୁ ଏଠାରୁ ଉତ୍ତର ବାଲେଶ୍ୱରର କୌଣସି ସ୍ଥାନକୁ ଡାକସେବା ତ୍ୱରିତ ଭାବରେ ଯାଇପାରୁଥିଲା । କିନ୍ତୁ ଏହା ବନ୍ଦ ହୋଇ ଯାଇଥିବାରୁ ଉପରୋକ୍ତ ସମସ୍ତ ଶାଖାଡାକଘର ଓ ଉପଡାକଘର ଚିଠିପତ୍ର, ମନିଅର୍ଡର, ରେଜେଷ୍ଟ୍ରି ଚିଠି ଇତ୍ୟାଦି ବାଲେଶ୍ୱର ଆରଏମ୍ଏସ୍ କାର୍ଯ୍ୟାଳୟକୁ ଯାଇ ସେଠାରେ ସଟିଂ ହେଉଛି । ଗୋଟିଏ କିମ୍ବା ୨ ଦିନ ପରେ ତାହାପୁଣି ଉପରୋକ୍ତ ଶାଖା ଓ ଉପଡାକଘରକୁ ଆସୁଥିବାରୁ ଡାକସେବା ବାଧାପ୍ରାପ୍ତ ହେଉଛି । ଏ ସଂପର୍କରେ ଗତ ଜୁଲାଇମାସ ୧୬ ତାରିଖରେ ଆଇନ୍ଜିବୀ ପତିତ ପାବନ ପ୍ରଧାନଙ୍କ ନେତୃତ୍ୱରେ ଯୋଗାଯୋଗ ମନ୍ତ୍ରୀ, ଯୋଗାଯୋଗ ସଚିବ, ରାଜ୍ୟର ମହାମୁଖ୍ୟ ଡାକପାଳ, ସାଂସଦ ତଥା ମନ୍ତ୍ରୀ ପ୍ରମୁଖଙ୍କୁ ଅବଗତ କରାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା