ଜଳେଶ୍ୱର ଶିଶୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ନେତାଜୀ ଜୟନ୍ତୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଗୁରୁବାର ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଜଳେଶ୍ୱର ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବାଲେଶ୍ୱର ଜିଲାର ଜଳେଶ୍ୱରସ୍ଥିତ ଭଂଜବିହାର ପରିସରରେ ଆୟୋଜିତ ସଭାରେ ଡ. ରମାକାନ୍ତ ଭଂଜ ଅଧ୍ୟକ୍ଷତା କରି ସ୍ୱାଗତ ଓ ଜଳେଶ୍ୱର ଶିଶୁ ସାହିତ୍ୟ ସଂଦର ପୃଷ୍ଠଭୂମୀ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ୍ ସଦସ୍ୟ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ସାଂପ୍ରତିକ ସମାଜରେ କୁନି କୁନି ପିଲାଙ୍କ ପାଇଁ ସାହିତ୍ୟ ଚର୍ଚ୍ଚା ଓ ଲେଖନ କମି କମି ଆସୁଛି । ଜଳେଶ୍ୱର ଅଂଚଳର କୁନି ପ୍ରତିଭାଧର ମାନଙ୍କୁ ଏହି ସୁବିଧା ଦେବାଲାଗି ଅତୀତରେ ଡାକ୍ତର ଲକ୍ଷ୍ମଣ କୁମାର ଜେନା ଶିଶୁ ସାହିତ୍ୟ ସଂସଦ ଗଠନ କରି ପ୍ରୟାସ ଆରମ୍ଭ କରିଥିଲେ । ଏହି ସଂଗଠନ ଜଳେଶ୍ୱରରେ ଏବେ ଏକ ସ୍ୱତନ୍ତ୍ରସ୍ଥାନ ଅଧିକାର କରିଛି ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ସୁନୀଲ କୁମାର ସିଂହ, ଶିଶିର କୁମାର ପଣ୍ଡା, ଅଦ୍ୟାଚରଣ ବେହେରା, ଗଣେଶ ପରିଡା ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ କର୍ମମୟ ଜୀବନ ଓ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ସଂପର୍କରେ ବର୍ଣ୍ଣନା କରିବା ସହ ଶିଶୁ ସାହିତ୍ୟ ଅଧିକ ଲୋକାଭିମୁଖୀ ହେବା ଉଚିତ୍ ବୋଲି କହିଥିଲେ । ସଂସଦର ସଂପାଦକ ତଥା ଗବେଷକ ଶ୍ରୀକାନ୍ତ ଚରଣ ପାତ୍ର ବିବରଣୀ ପାଠ କରି ସମଗ୍ର ଉତ୍ତର ବାଲେଶ୍ୱରରେ ଶିଶୁ ସାହିତ୍ୟିକ ଓ କୁନି କୁନି ଛାତ୍ରଛାତ୍ରଙ୍କ ମନରେ ଏକ ଆଲୋଡନ ସୃଷ୍ଟି କରିଆସିଛି ବୋଲି କହିଥିଲେ । ଅଧ୍ୟାପକ ସୁଧାଂଶୁ ସେଖର ପ୍ରଧାନଙ୍କ ଦ୍ୱାରା ଅନୁବାଦିତ ‘ଆଦର୍ଶବାଦ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଏଥିରେ ସନ୍ତୋଷ ବାରିକଙ୍କ ସଂଯୋଜନାରେ ଚନ୍ଦ୍ରକାନ୍ତି ଜେନା, ଭାଷ୍କର ଦାସ, ଡା. ପଦ୍ମନାଭ ପ୍ରଧାନ, ପ୍ରଶାନ୍ତ କୁମାର ରାଉଳ, ଇଂ ବ୍ରଜେନ୍ଦ୍ର କୁମାର ଘୋଷ, ଲିଲିମା ମହାନ୍ତି, ଗଣେଶ ଚନ୍ଦ୍ର ପରିଡା, ଶାନ୍ତିଲତା ପ୍ରଧାନ, ଶିଶିଣ କୁମାର ଖଣ୍ଡା, ସୁନିଲ ମହାନ୍ତି, ବଂଶୀଧର ବାରିକ, ନିରୋତ୍ତମ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ଦାସ, ଜଳଧର ଭଂଜ ପ୍ରମୁଖ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା