ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣପୂର୍ବ ରେଳବାଇର ବାଲେଶ୍ୱର ରେଳ ଷ୍ଟେସନ ପରେ ଜଳେଶ୍ୱର ରେଳଷ୍ଟେସନ ଏକ ପ୍ରମୁଖ ଷ୍ଟେସନ ହୋଇଥିବାରୁ ଏହାର ବିକାଶ ପାଇଁ ରେଳ ବିଭାଗ ଯତ୍ନବାନ ହେବ ବୋଲି ଖଡଗପୁର ଡିଭିଜନର ଏଡିଆରଏମ୍ ମନୋରଂଜନ ପ୍ରଧାନ ପ୍ରକାଶ କରିଛନ୍ତି । ଗତକାଲି ଶ୍ରୀ ପ୍ରଧାନଙ୍କ ସହିତ ସିନିଅର୍ ଡିଭିଜନାଲ କର୍ମସିଆଲ୍ ମ୍ୟାନେଜର କୁଲଦିପ ତିୱାରୀ, ଡିଭିଜନାଲ ଇଞ୍ଜିନିୟର ୱାସିମ୍ ମହମ୍ମଦ, କମର୍ସିଆଲ୍ ଇନିସ୍ପେକ୍ଟର ଅନୀଲ ଜେରାଇ, ଇନିସ୍ପେକ୍ଟର ଅଫ ୱାର୍କସ୍ ଅଜିତ୍ ପ୍ରସାଦ ମିଶ୍ର ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଜଳେଶ୍ୱର ଷ୍ଟେସନରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଡିଆରଏମ୍ ଶ୍ରୀ ପ୍ରଧାନ ପ୍ଲଟଫର୍ମ ନଂ ୧, ୨ ଓ ୩ ର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହିତ ଶୌଚାଳୟ, ଡର୍ମିଟେରୀ ରୁମ୍, ସାଇକେଲ ଷ୍ଟାଣ୍ଡ, ରେଲୱେ କଲୋନୀ, ରିଜଭେସନ୍ କାଉଣ୍ଟର, ପାର୍ସଲ ଅଫିସ୍ ପ୍ରମୁଖ ବୁଲିବା ପରେ ଯଥାଶୀଘ୍ର ସାଇକେଲ ଷ୍ଟାଣ୍ଡର ନବିକରଣ କାର୍ଯ୍ୟ ସହିତ ରିଟେଣ୍ଡର କରିବା ପାଇଁ ଶ୍ରୀ ତିଓ୍ବାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦୀର୍ଘଦିନ ଧରି ରେଳ ଷ୍ଟେସନ ସମ୍ମୁଖରେ ପାକିଂ ଜୋନ୍କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ କରାଯାଇ ସେଠାରେ ପାକିଂ କରୁଥିବା ବିଭିନ୍ନ ଅଟୋ ଗୁଡିକ ଦୀର୍ଘ ସମୟ ଛିଡା ନ ହୋଇ କେବଳ ଯାତ୍ରୀମାନଙ୍କୁ ଓହ୍ନାଇ ପ୍ରସ୍ଥାନ କରାଯିବା ପାଇଁ ବ୍ୟବସ୍ଥା କରିବାକୁ ଆର୍ପିଏଫ ଅଧିକାରୀ ଭଗବାନ ସିଂକୁ ନିର୍ଦ୍ଦେଶ ଦେଇଥିଲେ । ଯଦି କୌଣସି ଅଟୋ କିମ୍ବା ବାଇକ୍ ଆରୋହୀ ରେଳବିଭାଗର ଟ୍ରାଫିକ୍ ନିୟମକୁ ଆମାନ୍ୟ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜଳେଶ୍ୱର ଷ୍ଟେସନରେ ଟ୍ରେନ୍ ଡିସ୍ପ୍ଲେ ବୋର୍ଡ ଓ ଅଟୋ ଏନାଉନ୍ମେଣ୍ଟ ସିଷ୍ଟେମ୍ ନିମନ୍ତେ ବିଭାଗ ମଂଜୁରୀ ପ୍ରଦାନ କରିସାରିବା ପରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ । ସେହିପରି ଷ୍ଟେସନ ସମ୍ମୁଖରେ ଗ୍ଲୋ ସିନେକ୍ସ ବୋର୍ଡ ଯଥାଶୀଘ୍ର ଲଗାଯିବା ସଂଗେ ସଂଗେ ରିଜର୍ଭେସନ କାଉଣ୍ଟର ପାଇଁ ୨ଜଣ କର୍ମଚାରୀଙ୍କୁ ଖୁବ୍ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ମାତ୍ର ପୂର୍ବପଟେ ଥିବା ପଶ୍ଚିମବାର୍ଡ ରାସ୍ତା ପଟକୁ ଏକ ଟିକଟ ବୁକିଂ କାଉଣ୍ଟର ଓ ୪ନଂ ପ୍ଲଟଫର୍ମର ଉନ୍ନତିକରଣ କାର୍ଯ୍ୟ ଏବେ କରାନଯାଇ ତୃତୀୟ ରେଳଲାଇନ୍ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲାପରେ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି ପରିଦର୍ଶନ ସମୟରେ ଜଳେଶ୍ୱର ଷ୍ଟେସନର ଷ୍ଟେସନ ମ୍ୟାନେଜର ଖଗେନଦ୍ର ନାଥ ମଣ୍ଡଳ, କର୍ମସିଆଲ ସୁପରଭାଇଜର ସେକ୍ ଅମାନୁଲ୍ଲାଙ୍କ ସମେତ ପୂର୍ବତନ ଡିଆର୍ୟୁସିସି ସଭ୍ୟ ସୁକୁମାର ରଣା, ପୂର୍ବତନ ବଣିକ ସଂଘ ସଭାପତି ରାଧାଶ୍ୟାମ ସାହୁ, ସରପଂଚ ଦିଲ୍ଲିପ ପରିଡା, ଦିଗମ୍ବରୀଦେବୀ ଗ୍ରୁପ ଅଫ ଇନିଷ୍ଟୁଚ୍ୟୁସନର ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ଆଜିଠାରୁ ଜଳେଶ୍ୱର ଷ୍ଟେସନ ସମ୍ମୁଖରେ ପାକିଂ ବ୍ୟବସ୍ଥା ସୁଚାରୁ ରୂପେ ଆରମ୍ଭ ହୋଇ ସାର୍କୁଲେଟିଂ ଏରିଆ ସୃଷ୍ଟି ହୋଇଥିବାରୁ ରେଳଯାତ୍ରୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା