

ବିଜୟୱାଡା (ସମୃଦ୍ଧ ଓଡିଶା) ଗତ ସୋମବାର ଦିନ ମଧ୍ୟପ୍ରଦେଶ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଜେକେ ମହେଶ୍ୱରୀ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଶପଥ ଗ୍ରହଣ କରିଥିବା ବେଳେ ବମ୍ବେ ହାଇକୋର୍ଟର ବରିଷ୍ଠ ବିଚାରପତି ଇନ୍ଦ୍ରଜିତ ମହାନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଶପଥ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବିଜୟୱାଡାର କୁମଲା ପଲ୍ଲୀ କଳାକ୍ଷେତ୍ରମ ପ୍ରେକ୍ଷାଳୟରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଜଷ୍ଟିସ ମହେଶ୍ୱରୀଙ୍କୁ ମୁଖ୍ୟ ବିଚାରପତି ରୂପେ ଶପଥ ଗ୍ରହଣ କରାଇଥିଲେ । ଏହି ଉତ୍ସବରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଏଲଭି.ଶୁଭ୍ରମଣିୟମ ଏବଂ ହାଇକୋର୍ଟର ଆଇନଜୀବୀ ଗଣ ଓ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ । ଜଷ୍ଟିସ ଜିତେନ୍ଦ୍ର କୁମାର ମହେଶ୍ୱରୀ ଏଥିପୂର୍ବରୁ ସେ ବରିଷ୍ଠ ବିଚାରପତି ରୂପେ ମଧ୍ୟପ୍ରଦେଶ ହାଇକୋର୍ଟରେ କାର୍ଯ୍ୟ କରୁଥିଲେ । ଗତ ଅଗଷ୍ଟ ୨୨ ତାରିଖରେ ତାଙ୍କୁ ମୁଖ୍ୟ ଵିଚାରପତି ରୂପେ ସୁପ୍ରିମକୋର୍ଟ କଲେଜିୟମ ପ୍ରମୋସନ ପାଇଁ ପ୍ରସ୍ତାବ କରିଥିଲା । ଜଷ୍ଟିସ ମହେଶ୍ୱରୀ ମଧ୍ୟପ୍ରଦେଶ ହାଇକୋର୍ଟରେ ୧୯୮୫ ମସିହାରେ ଓକିଲାତି କରି ଆସୁଥିଲେ । ୨୦୦୫ ମସିହାରେ ତାଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ରୂପେ ନିଯୁକ୍ତି ମିଳିଥିଲା । ସଦ୍ୟ ଖବର ଅନୁଯାୟୀ ଅକ୍ଟୋବର ୩ରେ ୬ ଜଣ ବିଚାରପତିଙ୍କ ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି କେନ୍ଦ୍ର ସରକାର ଘୋଷଣା କରିଥିଲେ । ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ.ମଣି କୁମାରଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଥିବା ବେଳେ ମଧ୍ୟ ପ୍ରଦେଶ ହାଇକୋର୍ଟର ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ରବି ଶଙ୍କର ଝାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଛି । ସେହିପରି ଓଡ଼ିଆ ପୁଅ ବମ୍ବେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଥିବା ବେଳେ ସିକିମ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଜଷ୍ଟିସ ଅରୂପ କୁମାର ଗୋସ୍ୱାମୀଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ଗୋହ୍ୱାଟି ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଜଷ୍ଟିସ ଅଜୟ ଲମ୍ବାଙ୍କୁ ନିଯୁକ୍ତି ଦିଆଯାଇଛି ।