ଜାତୀୟ ଡେଙ୍ଗୁ ଦିବସ ସଚେତନତା ବୈଠକ:ଗଞ୍ଜାମରେ ଡେଙ୍ଗୁ ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜାତୀୟ ଡେଙ୍ଗୁ ଦିବସ ଅବସରରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡେଙ୍ଗୁ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମକୁ ଡେଙ୍ଗୁ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଜିଲ୍ଲାରେ ଥିବା ଜନସାଧାରଣଙ୍କ ମଧ୍ୟରୁ କେହି ଯେପରି ଡେଙ୍ଗୁରେ ଆକ୍ରାନ୍ତ ନ ହୁଅନ୍ତି ସେଥିପାଇଁ ଉପଯୁକ୍ତ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଯେଉଁମାନେ ଆଳସ୍ୟ ପରାୟଣ ହୋଇ ଡେଙ୍ଗୁ ମଶା ଅଣ୍ଡା ଦେବାପରି ପରିବେଶ ସୃଷ୍ଟି କରୁଥିବେ ସେମାନଙ୍କୁ ମଧ୍ୟ ନୋଟିସ ଜାରି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଡିସ ମଶା ଦ୍ୱାରା ଡେଙ୍ଗୁ ବ୍ୟାପି ଥାଏ । ଏହା ଘର ପାଖରେ ଜମା ହୋଇଥିବା ସ୍ୱଳ୍ପ ଜଳରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ । ଆମେ ଏହି ସ୍ୱଳ୍ପ ଜଳକୁ ଅଣ ଦେଖା କରି ଏହାକୁ ଫିଙ୍ଗୁ ନ ଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ଡେଙ୍ଗୁପରି ମହାମାରୀ ବ୍ୟାପି ଥାଏ । ଗତବର୍ଷ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତ ୧୫୫ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରୁ ଆକ୍ରାନ୍ତ ହୋଇ ଆସିଥିଲେ । ସୌଭାଗ୍ୟ ବଶତଃ କେହି ମୃତାହତ ହୋଇନାହାନ୍ତି । ୧୯୬୩ ମସିହାରେ ଆମ ଦେଶର ପଶ୍ଚିମବଙ୍ଗରେ ପ୍ରଥମ କରି ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିଲା । ଏହାର କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟୀକାକରଣ ଉଦ୍ଭାବନ ହୋଇନାହିଁ । କେବଳ ସଚେତନତା ହିଁ ଆମ ମାନଙ୍କୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ । ଅନ୍ୟରୋଗ ପରି ଡେଙ୍ଗୁର ସଚେତନତା ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାର୍ଥନା ପରେ ଡେଙ୍ଗୁ ବାବଦରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବାକୁ କହିଛନ୍ତି । ବ୍ରହ୍ମପୁର ମହାନଗର ନିଗମରେ ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ସାହି ବସ୍ତିରେ କର୍ମଚାରୀମାନେ ଡେଙ୍ଗୁ ସଚେତନତା ସୃଷ୍ଟି କରିବେ । ବ୍ରହ୍ମପୁର ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ ପ୍ରକୋଷ୍ଠ ସର୍ବଦା ପ୍ରସ୍ତୁତ ହୋଇ ରହିବ । ବ୍ଲକ ସ୍ତର ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ସଭା ମାନଙ୍କରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଆଲୋଚନା କରାଯିବ । ପ୍ରତ୍ୟେକ ଜ୍ଵରର ରକ୍ତ ପରୀକ୍ଷା କରାଯିବ । ଘରୋଇ ଚିକିତ୍ସାଳୟ ସାମ୍ନାରେ ଡେଙ୍ଗୁ ସଚେତନତା ପୋଷ୍ଟର ଲଗାଯିବ । ସହରାଞ୍ଚଳରେ ଅଳିଆ ସଂଗ୍ରହ ଗାଡି ଗୁଡିକରେ ଡେଙ୍ଗୁ ସଚେତନତା ଉଦଘୋଷଣା କରାଯିବ । ଜିଲ୍ଲାରେ ଥିବା ଟାଟା, ଗୋପାଳପୁର ବନ୍ଧର, ଗ୍ରାସୀମ ଇଣ୍ଡଷ୍ଟ୍ରି, ସରାଫ ଟିଟାନିୟମ ପ୍ରଭୃତି ଶିଳ୍ପୋଦ୍ୟୋଗୀମାନଙ୍କୁ ଡେଙ୍ଗୁ ସଚେତନତାରେ ସାମିଲ କରାଯିବ । ମନ୍ଦିର ପରିସରରେ ଜମା ହେଉଥିବା ନଡିଆ ଖୋଳପାମାନଙ୍କରେ ଡେଙ୍ଗୁ ମଶା ଅଣ୍ଡା ଦେବା ସମ୍ଭାବନା ଥିବାରୁ ଏହାକୁ ସମୟାନ୍ତରେ ସଫାରଖିବା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର.ଜଗଦୀଶ ପଟ୍ଟନାୟକ, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚି ହୋତା, ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା