ଭୁବନେଶ୍ୱର(ସମୃଦ୍ଧଓଡିଶା) କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪’ରେ ଓଡ଼ିଶାକୁ ସାତଗୋଟି ବିଭାଗରେ ପୁରସ୍କୃତ କରାଯିବ । ଆସନ୍ତା ଡିସେମ୍ବର ୧୧ରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ ସମାରୋହରେ ଦେଶରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଓଡ଼ିଶାର ବିଭିନ୍ନ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ପୁରସ୍କୃତ କରାଯିବ । ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪’ରେ ସମଗ୍ର ଦେଶରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପୁରସ୍କୃତ କରାଯିବ । ଏଥିରେ ଓଡ଼ିଶାର ବିଭିନ୍ନ ପଞ୍ଚାୟତିରାଜ ଅନୁଷ୍ଠାନ ସାତଗୋଟି ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ ହେବେ । ଏହା ମଧ୍ୟରେ ଦୀନଦୟାଲ ଉପଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବିଭାଗରେ ଗଞ୍ଜାମ ଜିଲ୍ଲା କେଳୁଆପଲ୍ଲୀ ଓ ସହପୁରକୁ ଯଥାକ୍ରମେ ସୁସ୍ଥ ପଞ୍ଚାୟତ ପୁରସ୍କାର ଓ ସ୍ୱାବଲମ୍ବୀ ଭିତ୍ତିଭୂମି ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ । ଏହା ସହ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବିଭାଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତିକୁ ଶେଷ୍ଠ ବ୍ଲକ୍ ପଞ୍ଚାୟତ ପୁରସ୍କାର ଓ କୋରାପୁଟ ଜିଲ୍ଲା ପରିଷଦକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ କରାଯିବ । ସୁନ୍ଦରଗଡ଼ ଜିଲ୍ଲା କସିର ଗ୍ରାମ ପଞ୍ଚାୟତାକୁ ଗ୍ରାମ ଊର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ଓ କେନ୍ଦ୍ରିକେଲା ଗ୍ରାମ ପଞ୍ଚାୟତାକୁ କାର୍ବନ ନିଉଟ୍ରାଲ ବିଶେଷ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ । ଏହା ସହ ଓଡ଼ିଶାର ‘ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚୟତିରାଜ ପ୍ରତିଷ୍ଠାନ’କୁ ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ଦକ୍ଷତା ବିକାଶ ଓ ତାଲିମ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର’ ପାଇଁ ଚୟନ କରାଯାଇଛି । ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪’ରେ ରାଜ୍ୟର ଏହି ବିଶେଷ ସଫଳତା ପାଇଁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପୁରସ୍କୃତ ହେବାକୁ ଥିବା ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚୟତିରାଜ ପ୍ରତିଷ୍ଠାନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ପୁରସ୍କାର ଅନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ମଧ୍ୟ ଉତ୍ତମ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବ ବୋଲି ପ୍ରକାଶ କରିବା ସହ ବିଭାଗୀୟ ପ୍ରଦର୍ଶନ ପାଇଁ ସେ ଶାସନ ସଚିବ ଶ୍ରୀ ଗିରିଶ ଏସ୍ଏନ୍ ଓ ‘ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚୟତିରାଜ ପ୍ରତିଷ୍ଠାନ’ର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନାଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ଅନୁଷ୍ଠାାନ ଭଲ କାର୍ଯ୍ୟକରି ପୁରସ୍କୃତ ହୋଇଥିବାରୁ ତାଙ୍କର ସମସ୍ତ କର୍ମକର୍ତ୍ତା ଓ ଶ୍ରୀ ମୀନାଙ୍କୁ, ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗର ଶାସନ ଶଚିବ ଶ୍ରୀ ଗିରିଶ ଏସ୍ଏନ୍ ସାଧୁବାଦ ଜଣାଇବା ସହିତ ଭୂୟସୀ ପ୍ରଶଂସା କରିଛନ୍ତି ।
ରିପୋର୍ଟ : ରଜତ ମହାପାତ୍ର